ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26/01/2023 at 6:45 PM

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ୧୨ ଫୁଟିଆ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଏହା ପୂର୍ବରୁ ଆଜି ସକାଳୁ ରଥ ତତ୍ତ୍ବାବଧାରକଙ୍କ ତତ୍ତ୍ଵାବଧାନରେ ଭୋଇ ସର୍ଦ୍ଦାରଙ୍କ ସହ ଭୋଇ ସେବକ ମାନେ ତିନୋଟି ଧଉରା କାଠକୁ ପୂଜା କରାଯିବା ସ୍ଥାନରେ ଆଣି ରଖିଥିଲେ। ତେବେ ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ତିନୋଟି ଧଉରା କାଠର ଚତୁଃପାର୍ଶ୍ଵରେ ଚୁନପାଣି ପକାଯାଇ ପବିତ୍ର କରାଯିବା ପରେ କାଠ ତିନୋଟିକୁ ମାଜଣା କରାଯାଇଥିଲା। ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା କରାଯାଇଛି। ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହେବ।

ଏହି କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ରଥନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ଡରୁ ୧୦୪ ଖଣ୍ଡ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର ୧୧୮ ଖଣ୍ଡ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୬୪୩ ଖଣ୍ଡ ରଥକାଠ ପୁରୀ ଆସିବ।
ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ରାମନବମୀ ଅବସରରେ କଟକ ଖପୁରୀଆ ସ୍ଥିତ କରତକଳରେ କାଠ ଚିରଟ କରାଯିବାର ପରମ୍ପରା ରହିଛି।