୩ ରଥରେ ଚାଲିଛି ତାଗ ବାଡିଆ କାମ, ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେବାରେ ବ୍ୟସ୍ତ ଚିତ୍ରକର
9/06/2023 at 12:47 PM

ପୁରୀ ୯।୬: ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ । ଗୁରୁବାର ରଥରେ ତାଗ ବାଡ଼ିଆ ଆରମ୍ଭ ହୋଇଛି । ତାଗ ବାଡ଼ିଆ ସରିଲେ ରଥରେ ପଟା ପଡ଼ିବ । ପଟା ବାଡ଼ିଆ ସରିଲେ ରଥର ଚଟାଣ ପ୍ରସ୍ତୁତ ହୋଇଯିବ । ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଭୋଇସେବକମାନେ କାର୍ଯ୍ୟରେ ଲାଗିଛନ୍ତି । କମାର ସେବକମାନେ ତାଗରେ କଣ୍ଟା ପିଟୁଛନ୍ତି । ପୋଟଳରେ ଲାଗିବାକୁ ଜଙ୍ଘା କଣ୍ଟା ତିଆରି କରିଛନ୍ତି ।

ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର କାର୍ଯ୍ୟ ଜାରି ରହିଛି । ଗୟଳ ଉପରେ ବରଗାଗୁଡ଼ିକ ହେଉଛି ତାଗ । ୩ ଇଞ୍ଚରେ ଅଢେଇ ଇଞ୍ଚର ୧୨ ଫୁଟିଆ ଲମ୍ବ କାଠ । ରଥ ଚାରିପଟେ ତାଗ ବାଡ଼ିଆ ପରେ ରଥରେ ପଟା ପଡ଼ିବ । ପଟା ଉପରେ ଠାକୁରେ ବିଜେ ହୋଇ ସିଂହାସନାରୁଢ ହେବେ ।

ପୂର୍ବରୁ ରଥରେ କଇଁଚି ବାଡିଆ ଯାଇଥିଲା । ରଥ ମୂଳଦୁଆରୁ ଉପର ଅଂଶ ପର୍ଯ୍ୟନ୍ତ କଇଁଚି ଲାଗିଯିବା ପରେ ରଥ ମଜବୁତ ହୋଇଛି । ଏବେ ରଥଚାଳିରେ ତିନି ରଥର ଦୁଆର ଘଡ଼ା କାମ ସରିବା ଉପରେ । ଏହାର ଉପର ଅଂଶ ଚନ୍ଦ୍ରଶାଳି । ବିଶ୍ୱକର୍ମାମାନେ କଳସ କାମ ସାରୁଛନ୍ତି । କଳସର ବଡ଼, ଛୋଟ ପିଣ୍ଡି ଓ ପାଖୁଡ଼ା କାମ ସରିଥିଲା । ସେସବୁକୁ ସଂଯୁକ୍ତ କରାଯାଇ କଳସ ଫ୍ରେମ୍ରେ ଦସ୍ତା ଚାଦର ବୁଲିଲା ପରେ ଚିତ୍ରକରଙ୍କ ଜିମା ଦିଆଯାଇଛି । ସେମାନେ ଏହାକୁ ସୁନ୍ଦର ଭାବେ ଚିତ୍ରକରି ରଥରେ ସ୍ଥାପନ ପାଇଁ ପ୍ରସ୍ତୁତ କରିବେ ।

ଚିତ୍ରକର ସେବକମାନେ ରଥାଂଶକୁ ଜୀବନ୍ତ କରିବାରେ ଲାଗିଛନ୍ତି । ରଥର ଶୀଖରଡମ୍ବରୁ ଚିତ୍ର ସରିଛି । ରଥରେ ଶୀଖରଡମ୍ବରୁ ଲାଗିଲେ ପାର୍ଶ୍ବ ଦେବତା ସ୍ଥାପନା ହେବେ । ପ୍ରତି ରଥରେ ୯ଜଣ କରି ପାର୍ଶ୍ବଦେବତା ବିଜେ କରିବେ । ପ୍ରଥମେ ପାର୍ଶ୍ବ ଦେବତା, ନାଟଗୋଡ଼, ଶୀଖରଡମ୍ବରୁ, ସଖୀ ଚିତ୍ର କରାଯାଉଛି ।

ଏହାପରେ ହଂସପଟା, ଠେକରା ବାଡ଼, କନ୍ୟାପଟାରେ ଚିତ୍ର କରାଯିବ । ଏପଟେ ରଥର ବିଭିନ୍ନ ଅଂଶ ରଙ୍ଗ ଚାଲିଛି । ଓଝା ସେବକ, କରତି ଓ ଦର୍ଜୀ ସେବକମାନେ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି । ଓଝା ସେବକମାନେ ଜଙ୍ଘା କଣ୍ଟା ତିଆରି କରିଛନ୍ତି । ଏହି ବଡ଼ କଣ୍ଟା ସବୁ ରଥର ୧୩ ପରସ୍ତ ପୋଟଳରେ ଲାଗିବ ।
You Can Read :