ଅଚାନକ ବିଗିଡିଲା ପାଗ: କେଦାରନାଥରେ ଅରେଞ୍ଜ ଆଲର୍ଟ ଜାରି, ଫସି ରହିଛନ୍ତି ୧୦ ହଜାର ଯାତ୍ରୀ

Published By : Prameya-News7 Bureau | May 23, 2022 IST

ଡେରାଡୁନ: ଅଚାନକ ପାଗ ବିଗିଡିବାରୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ପରେ କର୍ତ୍ତୃପକ୍ଷ କେଦାରନାଥ ଯାତ୍ରା ସ୍ଥଗିତ ରଖିଛନ୍ତି। ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନରେ ଅଟକିଯିବାକୁ ଅପିଲ୍ କରାଯାଇଛି। ହେଲିକପ୍ଟର ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପାଣିପାଗରେ ଅଚାନକ ପରିବର୍ତ୍ତନ କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ରୁଦ୍ରପ୍ରୟାଗ ସର୍କିଲ ଅଫିସର ପ୍ରମୋଦ କୁମାର କହିଛନ୍ତି।

ପ୍ରମୋଦ କୁମାର କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ସୋମବାର ଦିନସାରା ବର୍ଷା ଜାରି ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ପରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ୫ ହଜାର ଶ୍ରଦ୍ଧାଳୁଙ୍କୁ ଗୁପ୍ତକାଶୀରେ ସୁରସ୍ଥିତ ସ୍ଥାନରେ ରଖାଯାଇଛି। ସୋମବାର ଦିନ ସାରା ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଯିବା ବିପଦଜ୍ଜନକ ହୋଇପାରେ ବୋଲି କର୍ତ୍ତୃପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ସୋମବାର ସକାଳେ ସୋନପ୍ରୟାଗରରୁ ସକାଳ ୮ଟା ସୁଦ୍ଧା ୮୫୩୦ ଯାତ୍ରୀ କେଦାରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ କେଦାରଘାଟି ଏବଂ କେଦାରନାଥରେ ପ୍ରବଳ ବର୍ଷା ଏବଂ ଘନ କୁହୁଡି କାରଣରୁ ତତ୍କାଳ ପ୍ରଭାବରୁ ଯାତ୍ରା ଉପରେ  ରୋକ୍ ଲଗାଯାଇଛି। ଏହି ସମୟରେ ରୁଦ୍ରପ୍ରୟାଗରୁ ଗୁପ୍ତକାଶୀ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପାଞ୍ଚ ହଜାର ଯାତ୍ରୀଙ୍କୁ ରୋକି ଦିଆଯାଇଛି। ସୋନପ୍ରୟାଗରେ ୨୦୦୦ ଏବଂ ଗୌରୀକୁଣ୍ଡରେ ୩୨୦୦ ଯାତ୍ରୀଙ୍କୁ ଅଟକାଇ ଦିଆଯାଇଛି।

ଶ୍ରଦ୍ଧାଳୁଙ୍କୁ ନିଜ ନିଜର ହୋଟେଲରେ ରହିବା ଏବଂ ଏମିତି ସ୍ଥିତିରେ ବିପଦ ସଙ୍କୁଳ ଯାତ୍ରା ନକରିବା ପରାମର୍ଶ ଦିଆଯାଇଛି। ସଂପ୍ରତି କେଦାରନାଥର ପାଣିପାଗ ଆହୁରି ବିଗିଡିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା ବଢି ଯାଇଛି। ହେଲିକପ୍ଟର ଉଡାଣ ବନ୍ଦ ରଖାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ସମୟରେ ପାଣିପାଗ ଆହୁରି ବିଗିଡିପାରେ। ତେଣୁ ଯାତ୍ରା କରିବା ବିପଦଜ୍ଜନକ ହୋଇପାରେ ବୋଲି କର୍ତ୍ତୃପକ୍ଷ ଶ୍ରଦ୍ଧାଳୁଙ୍କୁ ସତର୍କ କରାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.