ଚାରି ଧାମରେ ରିଲ୍ କରିବା ଉପରେ ରୋକ୍, ମନ୍ଦିର ନିକଟରେ ଭିଡିଓଗ୍ରାଫି ଉପରେ ବି ଲାଗିଲା ବ୍ୟାନ୍

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଗୁରୁବାର ଚାରି ଧାମ ମନ୍ଦିରର ୫୦ ମିଟର ପରିସରରେ ରିଲ୍ ଏବଂ ଭିଡିଓଗ୍ରାଫି କରିବା ଉପରେ ରୋକ୍ ଲଗାଇଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ରାଧା ରତୁଡି କହିଛନ୍ତି ଯେ ଏହାଦ୍ୱାରା ତୀର୍ଥସ୍ଥଳରେ ପରିଚାଳନାରେ ବାଧା ସୃଷ୍ଟି ହେଉଛି । ରତୁଡ଼ି କହିଛନ୍ତି ଯେ ପ୍ରଶାସନ ସେହି ଲୋକଙ୍କ ବିରୋଧରେ ବି ମାମଲା ରୁଜୁ କରିବ ଯେଉଁମାନେ ଚାରିଧାମ ଯାତ୍ରା ବିଷୟରେ ରିଲ୍ କରି ମିଛ ସୂଚନା ପ୍ରସାର କରୁଛନ୍ତି । 

ରାଜ୍ୟର ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ ଚାରିଧାନ ଯାତ୍ରା ସୂଚାରୁ ରୂପେ ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ମନ୍ଦିର ପରିସରରେ ରିଲ୍ ଏବଂ ଭିଡିଓଗ୍ରାଫି କରିବା କାରଣରୁ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଅସୁବିଧାର ସାମନା କରୁଥିବା ଦେଖିବାକୁ ମିଳୁଛି । ଏହାସହ ସେମାନଙ୍କ ଆସ୍ଥାକୁ ଆଘାତ କରାଯାଉଛି । ମୁଖ୍ୟ ସଚିବ କହିଛନ୍ତି ଯେ ଏହି ସବୁକୁ ଧ୍ୟାନରେ ରଖି ଚାରି ଧାମ ମନ୍ଦିର ପରିସରର ୫୦ ମିଟର ପରିସରରେ ରିଲ୍ କିମ୍ୱା ଭିଡିଓଗ୍ରାଫି କରିବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଯାଉଛି ।

ସେପଟେ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଆମେ ଦୀର୍ଘ ଦିନରୁ ଏହି ଦାବି କରି ଆସୁଥିଲୁ । ଦୁଇ-ତିନି ବର୍ଷରୁ ଲଗାତାର ଏହି ପ୍ରସଙ୍ଗ ଉଠାଇଛୁ । ଆଜିକାଲି ଅନେକ ଲୋକ, ଖାସକରି ଯୁବପିଢିଙ୍କ ଧର୍ମସ୍ଥଳରେ ରିଲ୍ କରିବା ଅଭ୍ୟାସ ହୋଇଛି । ଯାହାଦ୍ୱାରା କେବଳ ଅନ୍ୟ ତୀର୍ଥଯାତ୍ରୀଙ୍କୁ ଅସୁବିଧା ହେଉ ନାହିଁ ବରଂ ଭକ୍ତ ଏବଂ ପୂଜାରୀଙ୍କ ଭାବନା ମଧ୍ୟ ଆହତ ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.