ଚାରିଧାମ ଯାତ୍ରାରେ ଯାଇଥିବା ୧୩ଜଣ ଯାତ୍ରୀଙ୍କ ମୃତ୍ୟୁ, ୨୩ ଦିନରେ ଗଲା ମୋଟ ୮୮ ଯାତ୍ରୀଙ୍କ ଜୀବନ

Published By : Prameya-News7 Bureau | May 26, 2022 IST

ରୁଦ୍ରପ୍ରୟାଗ ୨୬/୦୫ : ହୃଦଘାତ କାରଣରୁ ଚାରିଧାମ ଯାତ୍ରାକୁ ଆସୁଥିବା ଯାତ୍ରୀମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ଏହି ମୃତ୍ୟୁ ରେକର୍ଡ ସଂଖ୍ୟା ଛୁଇଁଛି। ଯାତ୍ରା ଆରମ୍ଭ ହେବାର ମାତ୍ର ୨୩ ଦିନ ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଛି।   

ରୁଦ୍ର ପ୍ରୟାଗର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିକେ ଶୁକ୍ଳା କହିଛନ୍ତି ଗୁରୁବାର କେଦାରନାଥରେ ପୁଣି ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିହାର ନାଳନ୍ଦାର ବାସିନ୍ଦା ନନ୍ଦୁ (୬୫), ଉତ୍ତରପ୍ରଦେଶ ବଳରାମପୁରର ବାସିନ୍ଦା ହରିଦ୍ୱାର ତିୱାରି (୬୨), ଉତ୍ତରପ୍ରଦେଶ ଲକ୍ଷ୍ନୌର ବିଶେଶ୍ୱର ନଗର ବାସିନ୍ଦା ରାମ ନାରାୟଣ ତ୍ରିପାଠୀ(୬୫) ଓ ରାଜସ୍ଥାନର ବାସିନ୍ଦା ହେମରାଜ ସୋନୀ (୬୧) ମଧ୍ୟ ସାମିଲ ଅଛନ୍ତି। କେଦାରନାଥରେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।  

ଯମୁନୋତ୍ରୀ ରାସ୍ତାରେ ମଧ୍ୟ ହୃଦଘାତ କାରଣରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଜାନକୀଚଟ୍ଟିରେ ତାମିଲନାଡ଼ୁ ବାସିନ୍ଦା ସିଦଦେ ରାଜନ (୫୭), ପୁଣେ ବାସିନ୍ଦା ଦିଲ୍ଲୀପ ପରାଂସପେ(୭୫), ଆଲହାବାଦ ବାସିନ୍ଦା ରାମଚନ୍ଦ୍ର ସାହୁ(୬୭), ରାଜସ୍ଥାନ ବାସିନ୍ଦା ଲାଲଚନ୍ଦ ରାଠିଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଯମୁନୋତ୍ରୀ ଯାତ୍ରାକୁ ଆସିଥିବା ୨୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ସାରିଛି।     

ଗୁରୁବାର ବଦ୍ରୀନାଥ ଧାମରେ ଥିବା ୩ ଜଣ ଓ ଗଙ୍ଗୋତ୍ରୀରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବଦ୍ରୀନାଥ ପୋଲିସ ଅନୁସାରେ କର୍ଣ୍ଣାଟକ ବାସିନ୍ଦା ଜୀବୀ ବିଜୟ କୁମାର(୬୨), ରାଜସ୍ଥାନ ବାସିନ୍ଦା କମଳା ବାଇ (୬୨) ଙ୍କ ସହିତ ଅନ୍ୟ ଏକ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେହିପରି ଗଙ୍ଗୋତ୍ରୀ ଧାମରେ ଗୁରୁବାର ୨ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.