ତୀର୍ଥଯାତ୍ରୀଙ୍କ ପାଇଁ ହେଉଥିବା ରାସ୍ତା ନିର୍ମାଣ ଉପରେ ଲାଗିଲା ରୋକ୍, ୫୦୦ ଘରେ ଫାଟ ହେବା ପରେ ନିଆଗଲା ନିଷ୍ପତ୍ତି
6/01/2023 at 10:46 AM

ନୂଆଦିଲ୍ଳୀ, ୦୬/୦୧: ଉତ୍ତରାଖଣ୍ଡ ହେଲଙ୍ଗ ଏବଂ ମାରଓ୍ବାଡ଼ୀ ମଧ୍ୟରେ ନିର୍ମାଣ ହେଉଥିବା ଥିବା ଅଲ୍ ଓ୍ବେଦର ରୋଡ୍ର ପ୍ରଶସ୍ତୀକରଣ ଉପରେ ରୋକ୍ ଲଗାଯାଇଛି। ଏହି ବାଇପାସ୍ ରାସ୍ତା ନିର୍ମାଣ ହେବା ସବୁ ପାଗରେ ଚାରଧାମ ଯାତ୍ରା କରିବା ସମ୍ଭବ ହୋଇପାରିବ। କେନ୍ଦ୍ର ସରକାରଙ୍କ ଚାରଧାମ ସଡ଼କ ପରିଯୋଜନା ଅନ୍ତର୍ଗତ ହେଉଥିବା ଏହି ନିର୍ମାଣ ଉପରେ ଗୁରୁବାର ଚମୋଲି ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛନ୍ତି। ଏହି ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଅନୁମାନ କରାଯାଉଛି। ଏହି ରୋଡ୍ ପ୍ରୋଜେକ୍ଟର ଲମ୍ବ ୮୮୯ କିଲୋମିଟର ରହିଛି।
ଏହି ରୋଡ୍ ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଥିଲା ଏମିତିକି ଅନେକ ସ୍ଥାନରେ ଭୂମି ଧସିବାର ମଧ୍ୟ ଦେଖାଯାଇଥିଲା। ଯାହାକୁ ବିରୋଧ କରି ଜୋଶୀମଠରେ ବିରୋଧ ପ୍ରଦର୍ଶନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଲୋକେ ଅଭିଯୋଗ କରିଛନ୍ତି, ତୀର୍ଥଯାତ୍ରୀଙ୍କ ପାଇଁ ଏହି ରାସ୍ତାର ନିର୍ମାଣ ପାଇଁ ଯୋଶୀମଠରେ ଅସୁବିଧା ହେଉଥିଲା।
ସୂଚନାଯୋଗ୍ୟ, ଚାରିଧାମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫଳରେ ଏହା ତୀର୍ଥଯାତ୍ରୀଙ୍କ ପାଇଁ ଖୁବ୍ ସହାୟକ ହେବ। ଏହିକ୍ରମରେ ବିଭିନ୍ନ ଜିଲ୍ଲାରୁ ଚାରଧାମକୁ ଅନେକ ବାଇପାସ୍ ରୋଡ୍ ନିର୍ମାଣ କରାଯାଉଛି। ତେବେ ହେଲଙ୍ଗ ଏବଂ ମାରଓ୍ବାଡ଼ୀ ମଧ୍ୟରେ ହେଉଥିବା ବାଇପାସ୍ ନିର୍ମାଣରେ ବାଧା ଉପୁଜିଛି। ପ୍ରକୃତରେ ଏହି ନିର୍ମାଣ ଯୋଗୁଁ ୨୦ କିମି ଦୂରରେ ଥିବା ଯୋଶୀମଠ ଟାଉନରେ ବାରମ୍ବାର ଭୂସ୍ଖଳନ ନେଇ ଅଭିଯୋଗ ହୋଇଥିଲା।
ସେପଟେ ଜୋଶୀମଠର ଏଡିଏମ ଅଭିଷେକ ତ୍ରିପାଠୀ କହିଛନ୍ତି, ‘ଯୋଶୀମଠରେ ଭୂମି ଧସିବାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତି ଅନୁଯାୟୀ ଏହି କାମକୁ ବନ୍ଦ ରଖାଯାଇଛି। ଏନଟିପିସିର ୫୨୦ ମେଗାଓ୍ବାଟ ତପୋବନ-ବିଷ୍ଣୁଗଡ଼ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ ଅନୂଯାୟୀ ହେଉଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ରୋକାଯାଇଛି। ସେହିପରି ଯୋଶୀମଠ-ଓଲି ରୋପଓ୍ବେ କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ରୋପଓ୍ବେ ଫଳରେ ବାଇପାସ୍ରୁ ବଦ୍ରୀନାଥ ଧାମର ଦୂରତା ୩୦ କିମି କମ୍ ହୋଇଥାଏ।
ସୂଚନାଯୋଗ୍ୟ, ଜୋଶୀମଠରେ ଭୂସ୍ଖଳନ ନୂଆ ନୁହେଁ। ଗତ ଶତାବ୍ଦୀରେ ଭୂସ୍ଖଳନରେ ଅଧିକମାତ୍ରାରେ ହେବା ପରେ ଏହାର ଯାଞ୍ଚ ପାଇଁ ମିଶ୍ରା କମିଟି ଗଠନ କରାଯାଇଥିଲ। ୧୯୭୬ ରେ ମିଶ୍ରା କମିଟି ନିଜ ରିପୋର୍ଟରେ କୁହାଯାଇଛି ଯେ ଯୋଶୀମଠ ଏକ ଭୂସ୍ଖଳନ କ୍ଷେତ୍ରରେ ରହିଛି। ତେବେ ଏହି ପ୍ରୋଜେକ୍ଟ ଫଳରେ ଯୋଶୀମଠରେ ଅନେକ ସ୍ଥାନରେ ଭୂସ୍ଖଳନ ଭଳି ହେଉଥିଲା। କୁହାଯାଉଛି ପ୍ରାୟ ୫୬୦ ଘରେ ଫାଟ ସୃଷ୍ଟି ହୋଇଥିଲା।