ଚରଣଜୀତ ସିଂହ ଚନ୍ନୀଙ୍କ ନୂଆ କ୍ୟାବିନେଟ୍ ଚୂଡ଼ାନ୍ତ, ବାଦ ପଡିପାରନ୍ତି କ୍ୟାପ୍ଟେନଙ୍କ ୫ ସହଯୋଗୀ

Published By : Prameya-News7 Bureau | September 25, 2021 IST

ଚଣ୍ଡିଗଡ ୨୫।୯: ପଞ୍ଜାବ ଚରଣଜୀତ ସିଂହ ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ବନବାରୀଲାଲ ପୁରୋହୀତ ରବିବାର ଅପରାହ୍ନରେ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସୂଚନା ଗୋପନୀୟ ରଖାଯାଇଛି। ତେବେ ୭ ଜଣ ନୂଆମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ନୂଆଦିଲ୍ଲୀସ୍ଥିତ ରାହୁଲ ଗାନ୍ଧିଙ୍କ ବାସଭବନରେ ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳ ଚୂଡାନ୍ତ ହୋଇଥିବା ଜଣାପଡିଛି।

ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁ, ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ଗୋପୀ ସୋନୀଙ୍କ ଉପସ୍ଥିତିରେ ମନ୍ତ୍ରୀମଣ୍ଡଳ ଚୂଡାନ୍ତ ହୋଇଥିଲା। ଏଥିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳର ୫ ମନ୍ତ୍ରୀ ହୁଏତ ବାଦ ପଡିଥାଇପାରନ୍ତି ଓ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥାଇପାରେ ବୋଲି ଆକଳନ କରାଯାଉଛି। ଯେଉଁ ନୂଆମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ପରଗଟ ସିଂହ, ଅମରିନ୍ଦର ସିଂହ ରାଜା ଓ ସଙ୍ଗତ ସିଂହ ଗିଲଜିଆଙ୍କ ନାମ ସର୍ବାଗ୍ରେ ଥିବାର ଚର୍ଚ୍ଚା ହେଉଛି।

ପଞ୍ଜାବ ନୂଆମନ୍ତ୍ରୀମଣ୍ଡଳ ଲାଗି ହାଇକମାଣ୍ଡ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ଆଗରେ ରଖି ମନ୍ତ୍ରୀ ଚୟନ କରିଛନ୍ତି। ଚନ୍ନୀଙ୍କୁ ତାଙ୍କ ନୂଆ ଟିମ ଗଠନ ଲାଗି ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା। ଏଥିରେ ନୂଆ ସରକାରଙ୍କ ଉପରେ ମନ୍ତ୍ରୀମାନଙ୍କୁ ଥୋପିବା ବଦଳେ ସୁପାରିସ କରାଯାଇଥିବା ନାମରୁ ପରାମର୍ଶ କରି ମନ୍ତ୍ରୀଙ୍କୁ ଚୟନ କରାଯାଇଛି।

ଏଥିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀଙ୍କ କାର୍ଯ୍ୟଧାରାର ମଧ୍ୟ ସମୀକ୍ଷା ହୋଇଥିଲା। ଏଥିରୁ ଏପରି ମନ୍ତ୍ରୀଙ୍କ ନାମ ପୁନର୍ବିଚାର କରାଯାଇଥିଲା ଯେଉଁମାନଙ୍କ ସହ ଚନ୍ନୀଙ୍କୁ କାମ କରିବା ସହଜ ହେବ ବୋଲି କୁହାଯାଇଛି। ଏଥିରେ ନେତୃତ୍ୱ କିଛି ନୂଆ ଚେହେରାଙ୍କୁ ମଧ୍ୟ ସାମିଲ କରିଛନ୍ତି ଯେଉଁମାନେ କୌଣସି ଗୋଷ୍ଠୀ ଓ ବିବାଦରୁ ଦୂରରେ ଥିଲେ। ଏହା ଛଡା ମନ୍ତ୍ରୀମଣ୍ଡଳ ଚୟନରେ ଆଗାମୀ ନିର୍ବାଚନକୁ ମଧ୍ୟ ଦଳ ଧ୍ୟାନ ଦେଇଛି। ଏପରି କିଛି ଚେହେରାଙ୍କୁ ରଖା ଯାଇଛି ଯେଉଁମାନଙ୍କୁ ଦଳ ଆଗରେ ରଖି ପ୍ରଚାର କରିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.