ବଦଳିଲା ଡାକ ଘର ସଞ୍ଚୟ ଖାତା ନିୟମ: ଏବେ ଅତିକମରେ ରଖିବାକୁ ହେବ ଏତିକି ଟଙ୍କା, ନହେଲେ ବନ୍ଦ ହୋଇଯିବ ଆକାଉଣ୍ଟ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ଯଦି ଆପଣଙ୍କର ଡାକ କାର୍ଯ୍ୟାଳୟରେ ସଞ୍ଚୟ ଖାତା ଅଛି କିମ୍ବା ଛୋଟ ସଞ୍ଚୟ ଯୋଜନାରେ ଟଙ୍କା ବିନିଯୋଗ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା । ବର୍ତ୍ତମାନ ଡାକଘରେ ଜମା ଖାତା ବା ସଞ୍ଚୟ ନିୟମ ବଦଳି ଯାଇଛି । ବର୍ତ୍ତମାନ ଆପଣଙ୍କୁ ସଞ୍ଚୟ ଖାତାରେ ୫ ଶହ ଟଙ୍କା ସର୍ବନିମ୍ନ ବାଲାନ୍ସ ଭାବରେ ରଖିବାକୁ ପଡିବ । ଯଦି ସେଭିଂ ଆକାଉଣ୍ଟରେ ଜମା ପରିମାଣ ଶୂନ୍ୟ ହୋଇଯାଏ ତେବେ ସେହି ଆକାଉଣ୍ଟ ବନ୍ଦ ହୋଇଯିବ । ଏହି ନିୟମ ଡିସେମ୍ବର ୧୨ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି । ଯଦି ଆପଣ ସର୍ବନିମ୍ନ ୫ ଶହ ଟଙ୍କା ଜମା ରଖୁନାହାଁନ୍ତି ତେବେ ଏହା ଉପରେ ଆପଣଙ୍କୁ ଏକ ଦେୟ ଦେବାକୁ ପଡିପାରେ ।

ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ୍ ଅଧୀନରେ କେବଳ ଚେକବୁକ୍ ସୁବିଧା ପାଇଥିବା ବ୍ୟକ୍ତି ଅତିକମରେ ୫ଶହ ଟଙ୍କା ବାଲାନ୍ସ ବଜାୟ ରଖିବାକୁ ପଡିବ । ଯେଉଁମାନଙ୍କର ଚେକବୁକ୍ ନାହିଁ, ସେମାନେ ଅତିକମରେ ୫୦ ଟଙ୍କା ବାଲାନ୍ସ ରଖିପାରିବେ । ଡାକ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ୨୦୨୦ ଡିସେମ୍ବର ୧୧ ପରେ ସମସ୍ତ ସଞ୍ଚୟ ଆକାଉଣ୍ଟରେ ଅତି କମରେ ୫ଶହ ଟଙ୍କା ରହିବା ଉଚିତ୍ । ଯେଉଁମାନଙ୍କର ଆକାଉଣ୍ଟରେ ୫ଶହ ଟଙ୍କାରୁ କମ୍ ଥିବ ସେମାନେ ୧୧ ଡିସେମ୍ବର ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଅତି କମରେ ୫ଶହ ଟଙ୍କା ଜମା କରିବାକୁ ସୂଚନା ଜାରି କରାଯାଇଛି ।  ନଚେତ୍ ଆର୍ଥିକ ବର୍ଷ ଶେଷରେ ଆକାଉଣ୍ଟ ରକ୍ଷଣାବେକ୍ଷଣ ବାବଦକୁ ଶହେ ଟଙ୍କା କଟାଯିବ ।

ପୋଷ୍ଟ ବିଭାଗର ନୂଆ ନିୟମ ଏବଂ ଅନୁଯାୟୀ, ଯେଉଁ ଆକାଉଣ୍ଟଧାରୀଙ୍କର ସର୍ବନିମ୍ନ ବାଲାନ୍ସ ନାହିଁ, ତାଙ୍କୁ ଶହେ ଟଙ୍କା ଚାର୍ଜ ଏବଂ ୧୮ ଟଙ୍କା ଜିଏସ୍ଟି ସେବା ଟ୍ୟାକ୍ସ ଦେବାକୁ ପଡିବ । ​‌ତେବେ ଯେଉଁ ଗ୍ରାହକ ଏହାକୁ ଅଧିକ ଦିନ ଅଣଦେଖା କରିବେ ତାଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ । ଏହିପରି ଗ୍ରାହକଙ୍କ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ଡାକଘର ଏବଂ ସବ୍ ଅଫିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.