ଚନ୍ଦ୍ରଯାନ-୧ର ବଡ଼ ସଙ୍କେତ: ଚନ୍ଦ୍ରରେ ଲାଗୁଛି କଳଙ୍କି, ଚିନ୍ତାରେ ବୈଜ୍ଞାନିକ
4/09/2020 at 4:40 PM

ନୂଆଦିଲ୍ଲୀ ୦୪/୦୯: ଲୁହାରେ କଳଙ୍କି ଲାଗିବା ସମସ୍ତେ ଜାଣନ୍ତି। କେବେ କୌଣସି ଗ୍ରହ କି ଉପଗ୍ରହରେ କଳଙ୍କି ଲାଗିବା ହୁଏତ କେହି କେବେ ଶୁଣି ନ ଥିବେ। ମାତ୍ର ଏକଥା ସତ। ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋର ଚନ୍ଦ୍ରଯାନ-୧ ଗୋଟିଏ ବଡ଼ ସନ୍ଧାନ କରିଛି। ସେ ଏମିତି କିଛି ଫଟୋ ଉତ୍ତୋଳନ କରିଛି ଯେଉଁଥିରୁ ଜଣାପଡୁଛି ଜହ୍ନକୁ କଳଙ୍କି ଲାଗୁଛି। ଜହ୍ନରେ କଳଙ୍କି ଦାଗ ଦେଖିବାକୁ ମିଳିଛି। ଅର୍ଥାତ୍ ଚନ୍ଦ୍ରରେ ଲୌହ ତତ୍ବ ମହଜୁଦ୍ ରହିଛି। ଚନ୍ଦ୍ରପୃଷ୍ଠରେ ଅକ୍ସିଡାଇଜ ଆଇରନ ଅର୍ଥାତ୍ ଲୌହ ଅଂଶ ହେମେଟାଇଟ୍ ଦେଖିବାକୁ ମିଳୁଛି।
ପୃଥିବୀ ପୃଷ୍ଠରେ ଲୌହ ମାତ୍ରା ଅଧିକ ଅଛି। ମାତ୍ର ଚନ୍ଦ୍ରରେ ଲୌହ ଅଂଶ ମିଳିବାରୁ ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି। ଲୁହାରେ କଳଙ୍କି ଲାଗିବା ଅର୍ଥ ସେଠାରେ ପବନ ଓ ପାଣି ରହିଛି। ଚନ୍ଦ୍ରରେ ବରଫ ମହଜୁଦ୍ ତ ବୈଜ୍ଞାନିକଙ୍କୁ ମିଳିଥିଲା ମାତ୍ର ହେମେଟାଇଟ୍ ସନ୍ଧାନ ବଡ଼ ବୋଲି ସେମାନେ କହିଛନ୍ତି।
ସାଇନ୍ସ ଆଡଭାନ୍ସ ନାମକ ସାଇଟରେ ପ୍ରକାଶିତ ୟୁନିଭର୍ସିଟି ଅଫ୍ ହବାଇ ଗବେଷଣା ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ହେମେଟାଇଟ୍ ଚିହ୍ନଟ ଚନ୍ଦ୍ରଯାନ ୧ର ଅର୍ବିଟର ଉତ୍ତୋଳନ କରିଥିବା ଫଟୋରୁ ଜାଣିବାକୁ ମିଳିଛି। ତେବେ ବୈଜ୍ଞାନିକ ପାଇଁ ଏହା ଚିନ୍ତାର କାରଣ ଏଥିପାଇଁ ଯେ ଏ ଉପଗ୍ରହ କ୍ରମାଗତ ସୂର୍ଯ୍ୟଙ୍କ ସୌର ତୋଫାନକୁ ସାମ୍ନା କରିଥାଏ।
ସୌର ତୋଫାନ ଯୋଗୁ ହାଇଡ୍ରୋଜେନ୍ ପରମାଣୁ ଚନ୍ଦ୍ରପୃଷ୍ଠରେ ଇଲେକଟ୍ରନ୍ ଛାଡ଼ିଥାଏ। ପୃଥିବୀ ନିକଟସ୍ଥ ଚନ୍ଦ୍ର ପୃଷ୍ଠର ଯେଉଁ ଅଂଶ ରହିଛି ସେହି ଭାଗରେ ଲୌହ ଅଂଶ ଅଧିକ। ଏହାର ଅର୍ଥ ପୃଥିବୀର ବାୟୁମଣ୍ଡଳର ଅଂଶ ଚନ୍ଦ୍ର ଉପରେ ପଡୁଛି।