ଚନ୍ଦ୍ରରେ ପ୍ଲାଜ୍ମା ସନ୍ଧାନ ଦେଲା ରମ୍ଭା-ଏଲପି; ସଲଫର ଥିବା ଦ୍ବିତୀୟ ଥର କଲା ସ୍ପଷ୍ଟ
1/09/2023 at 10:37 AM

ବେଙ୍ଗାଳୁରୁ: ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ଲାଜମାର ସନ୍ଧାନ ମିଳିଛି । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ରମ୍ଭା-ଏଲପି ଚନ୍ଦ୍ରପୃଷ୍ଠରେ ପ୍ଲାଜମା ଉପସ୍ଥିତ ଥିବାନେଇ ଇସ୍ରୋକୁ ସୂଚନା ଦେଇଛି । ହେଲେ ଏହାର ଘନତ୍ବ କମ୍ ରହିଛି ରହିଛି, ଯାହା ବିରଳ ବୋଲି କୁହାଯାଉଛି । ସେହିପରି ଦ୍ବିତୀୟ ଥର ପାଇଁ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଲଫର ଥିବା ସ୍ପଷ୍ଟ କରିଛି । ପୂର୍ବରୁ ଅକ୍ସିଜେନ୍ ସହ ଚନ୍ଦ୍ରପୃଷ୍ଠରେ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଆଇରନ, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ୍, ସିଲିକନ୍ ଭଳି ବିଭିନ୍ନ ଖଣିଜ ପଦାର୍ଥ ଥିବା ତଥ୍ୟ ଦେଇଥିଲା ।
ଇସ୍ରୋ ରୋଭର ପ୍ରଜ୍ଞାନର ଆଉ ଏକ ନୂଆ ଭିଡିଓ ମଧ୍ୟ ଜାରି କରିଛି । ଯେଉଁଥିରେ ରୋଭର ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଟରେ ଚାଲୁଛି ଏବଂ ଖୁବ୍ ଭଲ ଭାବେ ଘୂରି ପାରୁଛି । ରୋଟେସନର ଏହି ଫଟୋକୁ ଲ୍ୟାଣ୍ଡର ବିକ୍ରମର ଇମେଜର କ୍ୟାମେରାରେ ନିଆଯାଇଛି । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ କହିଛନ୍ତି, ପ୍ରଜ୍ଞାନ ରୋଭର ଜହ୍ନମାମୁଁ ଘର ଅଗଣାରେ ଏକ ଛୋଟ ଶିଶୁ ଭଳି ଖେଳୁଛି, ବୁଲୁଛି । ଆଉ ମାଆ ଭଳି ତା’ ଉପରେ ସ୍ନେହର ନଜର ରଖିଛି ଲ୍ୟାଣ୍ଡର ବିକ୍ରମ ।
ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନର ଅନୁସନ୍ଧାନ ସମୟ ସୀମା ସରି ସରି ଆସୁଛି । ଜହ୍ନରେ ଚନ୍ଦ୍ରଯାନ-ଥ୍ରୀ ଲ୍ୟାଣ୍ଡିଂ କରିବାର ୮ଦିନ ହୋଇଗଲାଣି । ସେଠାରେ ଲ୍ୟାଣ୍ଡର ବିକ୍ରମ ପ୍ରାକୃତିକ ଘଟଣାବଳୀର ରେକର୍ଡ କରୁଛି । ଚନ୍ଦ୍ରଯାନ ଲ୍ୟାଣ୍ଡିଂ କରିବା ପର ଠାରୁ ମାତ୍ର ୧୪ ଦିନ ସେଠାରେ ଅନୁସନ୍ଧାନ କରିପାରିବ ।