ଚନ୍ଦ୍ରଯାନ-୨ : ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ କରିବ ଅବତରଣ

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ ୨୧|୮: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ  ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. କେ ଶିବନ ଏହି ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷରେ ପହଁଚିବା ପରେ ସେ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି ।

ଡ. ଶିବନ କହିଥିଲେ ଯେ ଇସ୍ରୋର ପରବର୍ତୀ ଲକ୍ଷ୍ୟ ହେଉଛି ଚନ୍ଦ୍ରଯାନ-୨କୁ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧରେ ଚନ୍ଦ୍ରଯାନ-୨ର ସହଜ ଅବତରଣ ହେବ । ଡ. ଶିବନ ଆହୁରି କହିଥିଲେ ଯେ ଚନ୍ଦ୍ରଯାନ-୨ର ପରବର୍ତୀ ପ୍ରମୁଖ ଗତିବିଧି ସେପ୍ଟେମ୍ବର ୨ ତାରିଖରେ ସମ୍ପନ୍ନ ହେବ । ଏହି ସମୟରେ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଥିବା ଅର୍ବିଟର ଠାରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବା ଲ୍ୟାଣ୍ଡର ପୃଥକ ହେବ । ଇସ୍ରୋ ଅଧ୍ୟକ୍ଷ କହିଥିଲେ ଯେ ଇସ୍ରୋ ଏହି ଅବତରଣ ଅଭିଯାନକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ରହିଛି । ଇସ୍ରୋ ପକ୍ଷରୁ ସହଜ ଲ୍ୟାଣ୍ଡିଂ ପାଇଁ ଯଥେଷ୍ଟ ଅଭ୍ୟାସ କରାଯାଇଛି । ଚନ୍ଦ୍ରଯାନ-୨ ୪ଟି ଅନ୍ୟ ସ୍ଥିତି ପରିବର୍ତନ କରିବ । ପ୍ରଥମ ସ୍ଥିତି ପରିବର୍ତନ ଆସନ୍ତାକାଲି ହେବ । ଏହାପରେ ଅନ୍ୟ ସ୍ଥିତି ପରିବର୍ତନ ୨୮ ଅଗଷ୍ଟ, ୩୦ ଅଗଷ୍ଟ ଏବଂ ସେପ୍ଟେମ୍ବର ୧ ତାରିଖରେ ହେବ ।

ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ଚନ୍ଦ୍ରଯାନ-୧ ପରେ ଇସ୍ରୋର ଏହା ହେଉଛି ଦ୍ୱିତୀୟ ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ-୨କୁ ଗତ ଜୁଲାଇ ୨୨ ତାରିଖରେ ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯାଇଥିଲା । ଏହି ଯାନ ସହିତ ଗୋଟିଏ ଅର୍ବିଟର (ପରିକ୍ରମା ଯାନ) ‘ବିକ୍ରମ’ ଲ୍ୟାଣ୍ଡର (ଅବତରଣ ଯାନ) ଏବଂ ‘ପ୍ରଜ୍ଞାନ’ ରୋଭର (ମାନବବିହୀନ ମହାକାଶଯାନ) ଚନ୍ଦ୍ର ଅଭିମୁଖେ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.