‘VVIP ୱାର୍ଡରେ ଅଛନ୍ତି ସିସୋଦିଆ’, ଠକ ସୁକେଶ ଜେଲରୁ LGଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି
12/03/2023 at 12:36 PM

ନୂଆଦିଲ୍ଲୀ ୧୨/୦୩ : ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର AAP ଉପରେ କ୍ରମାଗତ ଆକ୍ରମଣ କରିବାରେ ଲାଗିଛି । ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ AAP ନେତାମାନଙ୍କ ନାଁରେ ଆଣିଛନ୍ତି ଭିନ୍ନ ଭିନ୍ନ ଅଭିଯୋଗ। ଏଥର ସେ ଜେଲରୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଦାବି କରିଛନ୍ତି ଯେ, ମନୀଷ ସିସୋଦିଆଙ୍କୁ ତିହାର୍ ଜେଲର ଏକ ‘ଭିଭିଆଇପି’ ୱାର୍ଡରେ ରଖାଯାଇଛି। ଭିଆଇପି ଏବଂ ଉଚ୍ଚ ପ୍ରୋଫାଇଲ୍ ବନ୍ଦୀମାନଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ୱାର୍ଡ।
ନିକଟରେ ସିସୋଦିଆ ତିହାର ଜେଲରୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ ସେ ଜେଲରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିବା କଥା ଲେଖିଥିଲେ। ସେ ଲେଖିଥିଲେ, “ସାହେବ, ତୁମେ ମୋତେ ଜେଲରେ ରଖି ମୋତେ ଅସୁବିଧାରେ ପକାଇ ପାରିବ, କିନ୍ତୁ ତୁମେ ମୋର ଆତ୍ମାକୁ ଭାଙ୍ଗି ପାରିବନାହିଁ। ବ୍ରିଟିଶ ଶାସକମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅସୁବିଧାରେ ପକାଇଥିଲେ କିନ୍ତୁ ସେମାନଙ୍କର ଆତ୍ମା ଭାଙ୍ଗି ପାରିନଥିଲେ। ଜେଲରୁ ଏମିତି ବାର୍ତ୍ତା ପଠାଇଥିଲେ ସିସୋଦିଆ।”

ଏମିତି ବି ପ୍ରଚାର ହୋଇଥିଲା ଯେ, ସିସୋଦିଆଙ୍କୁ ଗ୍ୟାଙ୍ଗଷ୍ଟରଙ୍କ କାରାଗାରରେ ରଖାଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଅଛି। ଏହି ଘଟଣାକୁ ସୁକେଶ ମିଥ୍ୟା କାହାଣୀ ବୋଲି ଅଭିଯୋଗ କରିଛନ୍ତି।
ସୁକେଶ ଏହି ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ, ମନୀଷ ସିସୋଦିଆ ଜେଲ -୧ ର ସେଲ୍ ନମ୍ବର ୯ରେ ରହିଛନ୍ତି । ଯାହାକି ସମଗ୍ର ତିହାର ଜେଲର ଭିଭିଆଇପି ୱାର୍ଡ ଅଟେ। ଏହି ସ୍ୱତନ୍ତ୍ର ୱାର୍ଡ ପ୍ରାୟ ୨୦ ହଜାର ବର୍ଗ ଫୁଟରେ ବ୍ୟାପିଛି । ଏଠାରେ ବୁଲିବା ପାଇଁ ଏକ ବଡ ବଗିଚା, ବ୍ୟାଡମିଣ୍ଟନ୍ କୋର୍ଟ ରହିଛି। ଏହି ୱାର୍ଡରେ ସୁବ୍ରତ ରୟ, ସୁରେଶ କଲମାଡି, ଅମର ସିଂ, ଏ. ରାଜାଙ୍କ ପରି ହାଇ ପ୍ରୋଫାଇଲ୍ ଅନ୍ତେବାସୀ ଅଛନ୍ତି।
ସେହିପରି ସତ୍ୟେନ୍ଦ୍ର ଜୈନଙ୍କ ନିର୍ଦ୍ଦେଶରେ ସେ ନିଜେ ୨୦୧୭-୧୮ ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିଥିଲେ। ବର୍ତ୍ତମାନ, କେବଳ କିଛି ପୁରୁଣା କଏଦୀଙ୍କୁ ତାଙ୍କ ଆରାମ ପାଇଁ ସିସୋଦିଆ ସହିତ ରଖାଯାଇଛି । ସେ କହିଛନ୍ତି ଯେ, ଏଠାରେ ଗ୍ୟାଙ୍ଗଷ୍ଟର କିମ୍ବା ଗୁରୁତର ଅପରାଧୀ ଅଛନ୍ତି ବୋଲି AAPର ଅଭିଯୋଗ ମଧ୍ୟ ସମ୍ପୂର୍ଣ୍ଣ ଭୁଲ୍। ଏହି ଭିଭିଆଇପି ୱାର୍ଡରେ ସିସୋଦିଆଙ୍କ ଯତ୍ନ ନିଆଯାଉଛି । ସିସୋଦିଆଙ୍କୁ ଦିଆଯାଇଥିବା ‘ଭିଭିଆଇପି’ ସୁବିଧା ଉପରେ ତଦନ୍ତ ଆରମ୍ଭ କରିବା ସହ ନିଜ ପାଇଁ ସୁରକ୍ଷା ମାଗିଛନ୍ତି ସୁକେଶ।
ଏହାସହ ସୁକେଶ ଜେଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଜେଲ ପ୍ରଶାସନର କିଛି ଅଧିକାରୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।