ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଟିଡିପି ଓ ଜେଡିୟୁକୁ ବଡ଼ ଦାୟିତ୍ବ ! ନୀତୀଶଙ୍କ ପାର୍ଟିକୁ ୨ ଏବଂ ନାଇଡୁଙ୍କୁ ୪ ମନ୍ତ୍ରୀ ପଦ ଚର୍ଚ୍ଚା

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ଦେଶରେ ରବିବାରଠୁ NDA ସରକାର । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ମେଣ୍ଟ ସରକାରରେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସହଯୋଗୀ ଦଳ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗ ଦେଶମ୍ ପାର୍ଟି ସାଂସଦଙ୍କୁ ମୋଦିଙ୍କ କ୍ୟାବିନେଟରେ ବଡ଼ ଦାୟିତ୍ବ ମିଳିବ ବୋଲି କୁହାଯାଉଛି । ଶପଥ ସମାରୋହରେ ଟିଡିପିକୁ ୪ ମନ୍ତ୍ରୀ ପଦ ମିଳିବା ନେଇ ଆଶା ରହିଛି । ସେହିପରି ଅନ୍ୟ ଏକ ସହଯୋଗୀ ଦଳ ନୀତୀଶ କୁମାରଙ୍କ ଜେଡିୟୁ ସାଂସଦଙ୍କୁ ୨ଟି କ୍ୟାବିନେଟ୍ ମନ୍ତ୍ରୀପାହ୍ୟା ପଦ ମିଳିବ ବୋଲି ଚର୍ଚ୍ଚା ହେଉଛି । 

ସୂଚନା ଅନୁଯାୟୀ, ଟିଡିପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ରାମ ମୋହନ ନାଇଡୁ, ହରିଶ ବାଲଯୋଗୀ ଏବଂ ଦଗୁମଲ୍ଲା ପ୍ରସାଦଙ୍କୁ ଦାୟିତ୍ବ ମିଳିପାରେ । ଏହାଛଡ଼ା ନୀତୀଶଙ୍କ ଜେଡିୟୁ ପାର୍ଟିରୁ ଅନୁଭବୀ ନେତା ଲଲନ ସିଂହ ଏବଂ ରାମନାଥ ଠାକୁର ମନ୍ତ୍ରୀପଦ ପାଇଁ ପିଏମଓରୁ ଫୋନ୍ କଲ୍ ଯାଇଛି । ଏହି ଦୁଇ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିପାରେ । ଲଲନ ସିଂହ ବିହାରର ମୁଙ୍ଗେର ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାମ ନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି । ସେ ଭାରତରତ୍ନ ସମ୍ମାନରେ ସାମ୍ମାନିତ ହୋଇଥିବା ଦିବଙ୍ଗତ ନେତା କପୂରୀ ଠାକୁରଙ୍କ ପୁଅ । 

ଆଜି ସଂଧ୍ୟାରେ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ରେକର୍ଡ ସହ ସମକକ୍ଷ ହେବେ । ତେବେ ମନ୍ତ୍ରୀ ପରିଷଦ ଗଠନ ନେଇ ଏନଡିଏର ସାଂସଦୀୟ ଦଳ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ସରିଛି । ଗୃହ, ଅର୍ଥ, ପ୍ରତିରକ୍ଷା , ବିଦେଶୀ ମନ୍ତ୍ରାଳୟ ଏବଂ ଶିକ୍ଷା ଓ ସଂସ୍କୃତି ଭଳି ବିଭାଗ ବିଜେପି ନିକଟରେ ରହିବ । ବାକି ୫ରୁ ୮ଟି ବିଭାଗରେ ଏନଡିଏ ସହଯୋଗୀ ଦଳକୁ କ୍ୟାବିନେଟ୍ ଦାୟିତ୍ବ ମିଳିବ ବୋଲି କୁହାଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.