ପୁଣି ଜଣେ ନେତାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ: YSRCP ଉପରେ ଦୋଷ ଲଦିଲା ଟିଡିପି
2/02/2023 at 9:51 PM

ପାଲନାଡୁ: ଓଡ଼ିଶା ଫର୍ମୁଲା ଆନ୍ଧ୍ର ପ୍ରଦେଶରେ। ପୁଣି ଜଣେ ନେତାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ଭଳି ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲା ରାମ୍ପିଚେରିଆ ମଣ୍ଡଳର ଅଲଭାଲା ଗାଁରେ ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି।
ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟିର ନେତା ବୀଣା ବାଲାକୋଟି ରେଡ୍ଡୀଙ୍କୁ ଗୁଳି କରାଯାଇଛି। ସେ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ରୀରେ ତାଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ। ଘଟଣା ଘଟିବା ପରେ ବାଲାକୋଟିଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଅପରାଧିର ପତ୍ତା ମିଳି ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
ମଧ୍ୟ ରାତ୍ରୀରେ ବୀଣା ବାଲାକୋଟିଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଦୁର୍ବୃତ୍ତ। ଏହାପରେ ତାଙ୍କୁ ନରସରାଓପେଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟିଡିପି ସମୟରେ ବାଲାକୋଟି ନିଜ ନିର୍ବାଚନ ମଣ୍ଡଳୀ ରୋମ୍ପିଚାର୍ଲା ମଣ୍ଡଳର ଏମ୍ପିପି(ମେମ୍ବର ଅଫ୍ ପ୍ରୋଭିନ୍ସିଆଲ ପାର୍ଲାମେଣ୍ଟ) ରହିସାରିଛନ୍ତି।
ତେବେ ଏହି ଆକ୍ରମଣକୁ ନେଇ ଟିଡିପି ୱାଇଏସ୍ଆର୍ସିପି ଉପରେ ଦୋଷ ଲଦିଛି। ନରସରାଓପେଟ ନିର୍ବାଚନ ମଣ୍ଡଳୀର ଟିଡିପି ନେତା ଅରବିନ୍ଦ ବାବୁ ଆଜି ବାଲାକୋଟିଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏହା ପଛରେ ୱାଇଏସ୍ଆର୍ସିପିର ହାତ ରହିଛି ବୋଲି ବାବୁ କହିଛନ୍ତି। ନରସରାଓପେଟ ବିଧାୟକ ଗୋପୀରେଡ୍ଡୀ ଶ୍ରୀନିବାସ ରେଡ୍ଡୀଙ୍କର ଏହି ଘଟଣାରେ ସମ୍ପୃକ୍ତି ରହିଛି ବୋଲି ବାବୁ କହିଛନ୍ତି।