ବଦଳିଲା CM ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ତାରିଖ, ଜୁନ୍ ୧୨ରେ ସ୍ୱତନ୍ତ୍ର ସମାରୋହ

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ ୦୬/୦୬: ଜୁନ୍ ୯ ନୁହେଁ ଜୁନ୍ ୧୨ରେ ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା କି, ସିଏମ୍ ପଦବୀ ପାଇଁ ଶପଥ ଗ୍ରହଣ ସମାରୋହ ଜୁନ୍ ୯ରେ ଅନୁଷ୍ଠିତ ହେବ । ଯାହାକୁ ଏବେ ବଦଳାଇଦିଆଯାଇଛି । 

ସଦ୍ୟ ରିପୋର୍ଟ ଅନୁସାରେ ଜୁନ୍ ୧୨ରେ ଶପଥ ସମାରୋହ ରହିଛି। ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି(TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 

ଏହାପରେ ୨୦୧୪ରେ ରାଜ୍ୟ ବିଭାଜନ ପରେ ତୃତୀୟ ପାଳି ପୂରା କରିଥିଲେ। କିନ୍ତୁ ୨୦୧୯ରେ YSR କଂଗ୍ରେସର ଜଗନ ମୋହନ ରେଡ୍ଡୀ ତାଙ୍କଠାରୁ ପଦ ଛଡ଼ାଇ ଆଣିଥିଲେ। ପାଞ୍ଚ ବର୍ଷ ପରେ ପୁଣି ସତ୍ତାକୁ ଫେରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଏଥର ହୋଇଥିଲା ଜୋରଦାର ଫାଇଟ୍। 

YSR କଂଗ୍ରେସକୁ ସତ୍ତାରୁ ହଟାଇବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ କରିଥିଲେ ଟିଡିପି ଓ ଜେଏସପି(ଜନ ସେନା ପାର୍ଟି)। ଟିଡିପିକୁ ୧୩୫ ଆସନ ମିଳିଥିବା ବେଳେ ଜନ ସେନାକୁ ୨୧ ଓ ବିଜେପିକୁ ମିଳିଥିଲା ୮ଟି ଆସନ। ସଂଖ୍ୟା ଗରିଷ୍ଠତା ସହ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.