ଶ୍ରୀମନ୍ଦିରକୁ ଫେରିଲା ନାଗାର୍ଜୁନ ବେଶର ଆକର୍ଷଣୀୟ ସୂର୍ଯ୍ୟ-ଚନ୍ଦ୍ର, ଦାଖଲ କଲେ ସମ୍ପୃକ୍ତ ସେବାୟତ

Published By : Prameya-News7 Bureau | December 04, 2020 IST

ପୁରୀ ୪।୧୨: ନାଗାର୍ଜୁନ ବେଶର ଆକର୍ଷଣୀୟ ସୂର୍ଯ୍ୟ-ଚନ୍ଦ୍ର ଫେରାଇଲେ ସମ୍ପୃକ୍ତ ସେବାୟତ । ଶ୍ରୀମନ୍ଦିରରେ ଏହି ସୂର୍ଯ୍ୟ-ଚନ୍ଦ୍ର ଦାଖଲ କଲେ । ଏନେଇ ନ୍ୟୁଜ୍ ୭ରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ନାଗାର୍ଜୁନ ବେଶ ଆଭୂଷଣର ଅନେକ ଅଂଶ ବିଶେଷ ଗାଏବ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ସେସବୁ ଅଂଶବିଶେଷ ଯାହା ନିକଟରେ ଅଛି ମନ୍ଦିରକୁ ଫେରାଇ ଦିଅନ୍ତୁ । ଏନେଇ ମୁଖ୍ୟ ବେଶ କାରିଗରଙ୍କ ଆହ୍ବାନ ଦେଇଛନ୍ତି । ସେହି ଆଭୂଷଣ ମ୍ୟୁଜିୟମ୍‌ରେ ରହିବ । ଭକ୍ତ ଏହାକୁ ଦେଖିବାର ସୌଭାଗ୍ୟ ପାଇବେ ।

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ବିଡମ୍ବନାର ବିଷୟ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ-ଚନ୍ଦ୍ରକୁ ସଂଗ୍ରହାଳୟକୁ ନିଆ ନଯାଇ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଥିଲା । ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନାଗାର୍ଜୁନ ବେଶରେ ବ୍ୟବହୃତ ସୂର୍ଯ୍ୟ-ଚନ୍ଦ୍ର ନେଉଥିବାର ଦେଖିବାକୁ ମିଳିଥିଲା ।

ପୂର୍ବରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଓଲାଗି ପରେ ଏହାକୁ ସଂରକ୍ଷିତ କରି ରଖାଯିବା ନେଇ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଏହାକୁ ସାଧାରଣ ଭକ୍ତ ଦେଖିପାରିନାହାନ୍ତି । କିନ୍ତୁ ବେଶରେ ବ୍ୟବହୃତ ସୂର୍ଯ୍ୟ-ଚନ୍ଦ୍ର ସମେତ ଅନ୍ୟ ସାମଗ୍ରୀ ସଂଗ୍ରହାଳୟରେ ରଖାଯାଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହାକୁ ଦେଖିବାର ସୁଯୋଗ ପାଇଥାନ୍ତେ । ତେବେ ଏହି ବେଶ ସରିବା କ୍ଷଣି ଏଭଳି ବେଶ ଶ୍ରୀମନ୍ଦିର ବାହାରକୁ ଯାଇଥିବା ଘଟଣା ନିନ୍ଦନୀୟ ଏବଂ ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ ସେବାୟତ ଓ ନୀତି ପ୍ରଶାସକ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.