ବିନା ପାରିଶ୍ରମିକରେ ସହାୟକ ସେବା, ୭ ବର୍ଷ ହେବ କରୁଛନ୍ତି ମୃତଦେହ ବ୍ୟବଛେଦ
24/12/2022 at 11:10 AM

ଚଣ୍ଡୀଖୋଲ ୨୪/୧୨: ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ପାଇଁ ସ୍ଥାୟୀ ସହାୟକ ନାହାନ୍ତି । ବିନା ପାରିଶ୍ରମିକରେ ୭ ବର୍ଷ ହେବ ଶବ ବ୍ୟବଛେଦ ପାଇଁ ସହାୟକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ବସନ୍ତ ଗୋଛାୟତ ।
ବଡ଼ଚଣା, ଧର୍ମଶାଳା, ଜେନାପୁର ଅଂଚଳରେ ଏକମାତ୍ର ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା ରହିଛି । ପ୍ରତିଦିନ ବହୁ ସଂଖ୍ୟାରେ ଶବ ବ୍ୟବଛେଦ ହେଉଛି । ହେଲେ ଡାକ୍ତରଙ୍କ ସହ ଏଠାରେ କାର୍ଯ୍ୟ କରିବା ପାଇଁ ସ୍ଥାୟୀ ସହାୟକ ନାହାନ୍ତି । ଯେଉଁଥିପାଇଁ ବିଭିନ୍ନ ସମୟରେ ମୃତଦେହ ବ୍ୟବଛେଦ ପାଇଁ ବିଳମ୍ୱ ହେବା ସହ ଲୋକଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ।
ଧାନମଣ୍ଡଳ ଗ୍ରାମର ବସନ୍ତ ସେବା ମନୋବୃତି ନେଇ ବିନା ପାରିଶ୍ରମିକରେ ଏହି କାର୍ଯ୍ୟ ତୁଲାଇ ଆସୁଛନ୍ତି । ମେଡିକାଲରୁ ଫୋନ୍ ଆସିଲେ ସବୁ କାମ ଛାଡି ତୁରନ୍ତ ପହଂଚିଯାନ୍ତି ମେଡିକାଲରେ । ବସନ୍ତ ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ବଡ଼ଚଣା ମେଡିକାଲର ଗୁରୁତ୍ୱ ରହୁଥିବରୁ ଏଠାରେ ଏକ ସ୍ଥାୟୀ ସହାୟକ ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ବଡ଼ଚଣା ମେଡିକାଲ ଅଧିକାରୀ କହିଛନ୍ତି, ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।