ଚନ୍ଦା କୋଚରଙ୍କୁ କୋର୍ଟରୁ ଲାଗିଲା ଝଟକା, ମିଳିଲାନି ଅନ୍ତରୀଣ ଆଶ୍ଵସ୍ତି

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ: ଆଇସିଆଇସିଆଇ-ଭିଡିଓକନ ଆର୍ଥିକ ଅନିୟମିତତା ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ଵାମୀ ଦୀପକ ଚୋକରଙ୍କୁ ଲାଗିଛି ଆଉ ଏକ ଝଟକା। କୋଚର ଦମ୍ପତ୍ତି ସିବିଆଇ ଦ୍ଵାରା ଗିରଫଦାରୀକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ମଙ୍ଗଳବାର ଅଦାଲତ କୋଚର ଦମ୍ପତ୍ତିଙ୍କୁ କୌଣସି ଆଶ୍ଵସ୍ତି ଦେଇ ନାହାନ୍ତି।

ଚନ୍ଦା କୋଚର ଏବଂ ଦୀପକ କୋଚରଙ୍କ ପକ୍ଷରୁ ବିଚାରପତି ମାଧବ ଜାମଦାର ଏବଂ ବିଚାରପତି ଏସଜି ଚାପଲଗାଓଁକରଙ୍କ ଅବକାଶକାଳୀନ ପୀଠରେ ଆବେଦନ କରାଯାଇ ତୁରନ୍ତ ଶୁଣାଣି କରିବାକୁ ଦାବି କରାଯାଇଥିଲା। ହେଲେ ପୀଠ ମାମଲାର ତତ୍କାଳ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ବିଚାରପତି କହିଛନ୍ତି, ଯାଚିକା ତତ୍କାଳ ଶୁଣାଣି କରିବା ପାଇଁ ଯୋଗ୍ୟ ନୁହେଁ। ବର୍ତ୍ତମାନ ଚନ୍ଦା କୋଚର ଏବଂ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କ ବ୍ୟତୀତ ଭିଡିଓକନର ଚେୟାରମ୍ୟାନ ବେଣୁଗୋପାଳ ଧୂତ ଡିସେମ୍ବର ୨୮ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ଅଛନ୍ତି।

ଅଭିଯୋଗ କଣ

ସିବିଆଇର ଅଭିଯୋଗ ଅନୁଯାୟୀ, ଆଇସିଆଇସିଆଇ ବ୍ୟାଙ୍କ ଆର୍ଥିକ ନେଣଦେଣ ନିୟମର ଉଲ୍ଲଂଘନ କରି ବେଣୁଗୋପାଳ ଧୂତଙ୍କ ଦ୍ଵାରା ପ୍ରବର୍ତ୍ତିତ ଭିଡିଓକନ ଗ୍ରୁପକୁ ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲା। ତେବେ ୨୦୧୮ ମେରେ ଅଭିଯୋଗ ମିଳିବା ପରେ ଆଇସିଆଇସିଆଇ ବ୍ୟାଙ୍କ ଚନ୍ଦା ମାମଲାର ତଦନ୍ତ ଆରମ୍ଭ କରି ଦେଇଥିଲା। ଭିଡିଓକନ ଗ୍ରୁପକୁ ଋଣ ଦେବାରେ ଚନ୍ଦା କୋଚରଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ବେଶ ଫାଇଦା ମିଳିଥିଲା। ବିବାଦ ଘନୀଭୂତ ହେବାରୁ କୋଚର ଛୁଟିରେ ଚାଲି ଯାଇଥିଲେ ଏବଂ ସମୟ ପୂର୍ବରୁ ଅବସର ଆବେଦନ କରିଥିଲେ। ବ୍ୟାଙ୍କ ତାଙ୍କର ଆବେଦନକୁ ବି ସ୍ଵୀକାର କରିଥିଲା। ପରେ ତାଙ୍କୁ ବ୍ୟାଙ୍କରୁ ବହିଷ୍କାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.