ସେମିଫାଇନାଲରେ ପାକିସ୍ତାନ ପ୍ରବେଶ କରିବ ନା ନାହିଁ : ଜାଣନ୍ତୁ କ'ଣ ରହିଛି ସେମିଫାଇନାଲ ଅଙ୍କ

Published By : Prameya-News7 Bureau | July 01, 2019 IST

ମଞ୍ଚେଷ୍ଟର ୧/୭ : ରବିବାର ଦିନ ୱାର୍ମିଙ୍ଗହାମ ଷ୍ଟାଡିୟମରେ ଇଂଲଣ୍ଡ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । ଚଳିତ ବିଶ୍ୱକପରେ ଏହା ଥିଲା ୩୮ତମ ମ୍ୟାଚ । ଇଂଲଣ୍ଡ ଭାରତକୁ ୩୧ ରନରେ ପରାସ୍ତ କରି ସେମିଫାଇନାଲରେ ପହଂଚିବାର ସ୍ଥିତି ବଜାୟ ରଖିଛି ।

ଇଂଲଣ୍ଡର ବିଜୟ ସହ ସେମିଫାଇନାଲ ରେସ ଏବେ ଆହୁରି ରୋମାଞ୍ଚକ ହୋଇଯାଇଛି । ଏବେ ପର୍ଯ୍ୟନ୍ତ କେବଳ ଅଷ୍ଟ୍ରେଲିଆ ହିଁ ସେମିଫାଇନାଲରେ ପ୍ରବେଶ କରିଥିଲା । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଟିମ ସେମି ଫାଇନାଲ ରେସରୁ ବାହାରି ସାରିଛି । ସେମି ଫାଇନାଲର ବଳକା ୩ଟି ସ୍ଥାନ ପାଇଁ ୫ଟି ଟିମ ମଧ୍ୟରେ ମୁକାବିଲା ଚାଲିଛି । ବର୍ତ୍ତମାନ ସେମିଫାଇନାଲ ପାଇଁ ଟିମ ଇଣ୍ଡିଆ ସବୁଠାରୁ ମଜବୁତ ପ୍ରତିଦ୍ବନ୍ଦୀ । ଇଣ୍ଡିଆ ଏବେ ଯାଏଁ ୬ଟି ମ୍ୟାଚ ଖେଳି ୫ଟି ମ୍ୟାଚରେ ବିଜୟୀ ହୋଇ +୦.୮୫୪ ରନରେଟ ସହ ୧୧ ଅଙ୍କରେ ଅଛି ।

ଇଣ୍ଡିଆ ଆଉ ଦୁଇଟି ମ୍ୟାଚ ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଏହି ଦୁଇଟିରୁ ଯେକୌଣସି ଗୋଟିଏ ମ୍ୟାଚରେ ବିଜୟୀ ହେଲେ ୧୩ ଅଙ୍କ ସହ ସେମିଫାଇନାଲରେ ପ୍ରବେଶ କରିବ ।

ସେମି ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଟିମ ମଧ୍ୟ ମଜବୁତ ଟିମ । ୮ଟି ମ୍ୟାଚ ଖେଳି ନ୍ୟୁଜିଲାଣ୍ଡ ୧୧ ଅଙ୍କରେ ରହିଛି । ନ୍ୟୁଜିଲାଣ୍ଡ ଆଗାମୀ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିବ । ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ଯିବ ।

ସେମିଫାଇନାଲର ଚତୁର୍ଥ ଟିମ ପାଇଁ ହେବ ଅସଲ ମୁକାବିଲା । ଏହି ମୁକାବିଲା ବାଂଲାଦେଶ, ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ । ପାକିସ୍ତାନ ଯଦି ବାଂଲାଦେଶକୁ ପରାସ୍ତ କରେ ଏବଂ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ପରାସ୍ତ କରେ ତାହେଲେ ପାକିସ୍ତାନର ୧୧ ଅଙ୍କ ହୋଇଯିବ ଏବଂ ଇଂଲଣ୍ଡର ୧୦ ଅଙ୍କ ହେବ । ଏଭଳି ସ୍ଥିତିରେ ପାକିସ୍ତାନ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିପାରିବ ।

ଯଦି ଇଂଲଣ୍ଡ ଏବଂ ପାକିସ୍ତାନ ଶେଷ ମ୍ୟାଚ ହାରିଯାନ୍ତି ଏବଂ ବାଂଲାଦେଶ ଟିମ ପାକିସ୍ତାନ ଓ ଇଣ୍ଡିଆକୁ ପରାସ୍ତ କରେ ତାହେଲେ ବାଂଲାଦେଶ ୧୧ ଅଙ୍କ ସହ ସେମିଫାଇନାଲ କ୍ୱାଲିଫାଏ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.