ପୂର୍ବତନ ଚୀନ୍‌ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍‌ଙ୍କ ପରଲୋକ

Published By : Prameya-News7 Bureau | November 30, 2022 IST

ବେଜିଂ ୩୦।୧୧: ପୂର୍ବତନ ଚୀନ୍‌ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍‌ଙ୍କର ପରଲୋକ ହୋଇଛି। ସେ ତାଙ୍କ ଗୃହସହର ସଂଘାଇରେ ବୁଧବାର ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ୧୩ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜିଆଙ୍ଗ ଜେମିନ ଲ୍ୟୁକୋମିଆରେ ପୀଡ଼ିତ ଥିଲେ। ଏଣୁ ତାଙ୍କର  କେତେକ ଅଙ୍ଗ ଅଚଳ ହୋଇପଡିଥିଲା। କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି, ସଂସଦ, କ୍ୟାବିନେଟ୍ ଓ ସେନା ପତ୍ର ଲେଖି ଚୀନ ଜନତାଙ୍କୁ ତାଙ୍କ ପରଲୋକ ଖବର ଦେଇଛନ୍ତି।

ଏହି ପତ୍ରରେ କମ୍ରେଡ ଜିଆଙ୍ଗ ଜେମିନଙ୍କ ପରଲୋକ ଆମ ପାର୍ଟି, ଆମ ସେନା ଓ ସବୁ ଜାତୀୟ ସମୂହ ଲାଗି ଏକ ଅପୁରଣୀୟ କ୍ଷତି ବୋଲି ଉଲ୍ଲେଖ କରାଯାଇଛି। ପତ୍ରରେ ଜିଆଙ୍ଗ ଜେମିନ୍‌ଙ୍କୁ ଜଣେ ଉତ୍କୃଷ୍ଟ ନେତା, ଜଣେ ମହାନ ମାର୍କସ୍‌ବାଦୀ, ରାଜନେତା, ସୈନ୍ୟ ରଣନୀତିକାର ଓ କୂଟନୀତିଜ୍ଞ ଭାବେ ବର୍ଣ୍ଣନା କରାଯାଇଛି। ଜିଆଙ୍ଗ ଜେମିନ୍‌ଙ୍କୁ ୧୯୮୯ ତିଆନମେନ୍ ସ୍କୋୟାର କାଣ୍ଡ ପରେ ଚୀନ୍‌ର ନେତୃତ୍ୱ ଲାଗି ଚୟନ କରାଯାଇଥିଲା। ସେ ପାଖାପାଖି ଏକ ଦଶନ୍ଧୀ ପର୍ଯ୍ୟନ୍ତ ଚୀନ୍‌ ଶାସନ କରିଥିଲେ।

{"id":715545,"width":841,"height":553,"sizeSlug":"full","linkDestination":"none"}

ଜିଆଙ୍ଗ ଜେମିନଙ୍କ ପରଲୋକ ଏକ ଏପରି ସମୟରେ ହୋଇଛି ଯେତେବେଳେ ସରକାରଙ୍କ କଡା କୋଭିଡ କଟକଣା ବିରୋଧରେ ସାରା ଦେଶରେ ଲୋକେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଆଙ୍ଗ ଜେମିନ୍‌ଙ୍କ ଶାସନ କାଳରେ ତିଆନମେନ ସ୍କୋୟାର କାଣ୍ଡ ପରେ ସେପରି କୌଣସି ବଡ଼ ପ୍ରଦର୍ଶନ ହୋଇନଥିଲା। ଜିଆଙ୍ଗଙ୍କ ଜନ୍ମ  ୧୭ ଅଗଷ୍ଟ ୧୯୨୬ରେ ହୋଇଥିଲା ଓ ସେ ୧୯୯୩ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରପତି ଥିଲେ। ଜିଆଙ୍ଗ କଲେଜରେ ପଢୁଥିବା ବେଳେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ।

୧୯୫୦ ଦଶକରେ ସେ ମସ୍କୋରେ ଷ୍ଟାଲିନ ଅଟୋମୋବାଇଲ ୱାର୍କସ୍‌ରେ ତାଙ୍କର ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। ପରେ ତାଙ୍କୁ ସରକାରୀ ସେବାରେ ସ୍ଥାନାନ୍ତରିତ କରାଯାଇଥିଲା। ୧୯୮୩ ମସିହାରେ ସେ ଇଲେକ୍ଟ୍ରୋନିକ୍ ଉଦ୍ୟୋଗମନ୍ତ୍ରୀ ଓ ପରେ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ। ଜିଆଙ୍ଗଙ୍କ ପତ୍ନୀ ୱାଙ୍ଗ ୟେପିଙ୍ଗ ଓ ଦୁଇ ପୁତ୍ର ପୁଅ ଜିଆଙ୍ଗ ମିୟାଂହେଙ୍ଗ ଓ ଜିୟାଙ୍ଗ ମିୟାଂକାଙ୍ଗ ଅଛନ୍ତି।  ଏଥିରୁ ଜିଆଙ୍ଗ ମିୟାଂହେଙ୍ଗ ଚୀନ୍‌ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ କାମ କରି ଜଣେ ସଫଳ ଆକାଡେମୀସିୟନ ଓ ବ୍ୟବସାୟୀ ପାଲଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.