ଇସ୍ତଫା ଦେଲେ ବାଇଜୁସ ଇଣ୍ଡିଆର ସିଇଓ, ୧୦ ବର୍ଷ ଧରି କମ୍ପାନି ସହ ରହିଥିଲେ
20/09/2023 at 11:03 PM

ନୂଆଦିଲ୍ଲୀ: ବାଇଜୁର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି ମୃଣାଳ ମୋହିତ । ମୋହିତଙ୍କ ସ୍ଥାନରେ କମ୍ପାନି ଅର୍ଜୁନ ମୋହନଙ୍କୁ ସିଇଓ ଭାବରେ ନିଯୁକ୍ତ କରିଛି । ସୂଚନାଥାଉକି, ବାଇଜୁସ ଫାଉଣ୍ଡର ବାଇଜୁ ରବିନ୍ଦ୍ରନନଙ୍କ ଘନିଷ୍ଠ ମୋହିତ, ପ୍ରାୟ ୧୦ ବର୍ଷ ଧରି କମ୍ପାନି ସହ ରହିଥଲେ। ବଡ଼ କଥା ହେଉଛି ମୋହନ ଏବଂ ମୋହିତ, ଉଭୟ ହିଁ ବାଇଜୁ ରବିନ୍ଦ୍ରନଙ୍କ ଛାତ୍ର ରହିଛନ୍ତି।
ଅର୍ଜୁନ୍ ମୋହନଙ୍କ କଥା କହିଲେ ବାଇଜୁର ସେ ସଂସ୍ଥାପକ ଟିମ୍ର ଅଂଶ ଥିଲେ। ସେ ମୁଖ୍ୟ ବ୍ୟବସାୟିକ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ଏମିତିକି ସେ ବିଗତ ତିନି ମାସରୁ ସଂସ୍ଥାପକ ଏବଂ ଗ୍ରୁପ୍ ସିଇଓ ବାଇଜୁ ରବିନ୍ଦ୍ରନଙ୍କ ସହ ମିଶି କାମ କରୁଥିଲେ। କମ୍ପାନି ଅନୁଯାୟୀ, ‘‘ଅର୍ଜୁନ ମୋହନ ଏବେ ଭାରତୀୟ ପରିଚାଳନାର ସିଇଓ ଭାବରେ କାର୍ଯ୍ୟଭାର ସମ୍ଭାଳିବେ। ମୋହିତ କମ୍ପାନିର ଆକାକ୍ଷାଂକୁ ପୂରଣ କରିବା ପାଇଁ ଏକ ନୂତନ ଆରମ୍ଭ କରୁଛନ୍ତି।’’
ଆହୁରି ପଢ଼ନ୍ତୁ: ବାଇଜୁସ୍ର ବଡ଼ ଘୋଷଣା, ୬ ମାସ ମଧ୍ୟରେ କରିବ ସବୁ ଋଣ ପରିଶୋଧ
କମ୍ପାନିର ସଂସ୍ଥାପକ ଏବଂ ସମୂହ ସିଇଓ ବାଇଜୁ ରବିନ୍ଦ୍ରନ କହିଛନ୍ତି, ‘‘ଯଦି ବାଇଜୁ ଆଜି ଉଲ୍ଲେଖନୀୟ ସ୍ତରରେ ପହଞ୍ଚୁଛି ତେବେ ଏହା ଆମ ସଂସ୍ଥାପକ ଟିମ୍ର ଅସାଧାରଣ ପ୍ରୟାସର ଫଳ। ମୃଣାଳଙ୍କ ଯୋଗଦାନ ଆମର ସଂଗଠନ ଉପରେ ଏକ ଅଭୁଲା ଛାପ।’’ ସେ କହିଛନ୍ତି ଆମେ ମିଳିମିଶି ଯାହା ହାସଲ କରିଛୁ, ସେଥିପାଇଁ ମୁଁ ଗର୍ବିତ। ଅର୍ଜୁନଙ୍କ ବିଶେଷଜ୍ଞତା ନିଶ୍ଚିତ ଭାବରେ ଆମକୁ ପରିବର୍ତ୍ତନର ପ୍ରୟାସରେ ସାହାଯ୍ୟ କରିବ ଏବଂ ବୈଶ୍ବିକ କ୍ଷେତ୍ରରେ ଆମର ସ୍ଥିତିକୁ ମଜବୁତ କରିବ।’’