‘ଆପ୍’ର ଅଭିଯୋଗୁ CEOଙ୍କ ଖଣ୍ଡନ, କହିଲେ ଦିଲ୍ଲୀରେ ହୋଇଛି ୬୨ ପ୍ରତିଶତ ମତଦାନ, ଭାଙ୍ଗିଛି ଲୋକସଭା ନିର୍ବାଚନ ରେକର୍ଡ
9/02/2020 at 7:38 PM

ନୂଆଦିଲ୍ଲୀ ୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ପ୍ରତିଶତକୁ ନେଇ ରବିବାର ଲାଗି ରହିଥିବା ଆରୋପ ପ୍ରତ୍ୟାରୋପରେ ରୋକ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଇଓ ରଣଜିତ ସିଂହ ମତଦାନ ହାର ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଆମ ଆଦମୀ ପାର୍ଟି (ଆପ୍)ର ଚିନ୍ତାକୁ ବିଲକୁଲ ନିରାଧାର କହିଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଗତ ଲୋକସଭା ନିର୍ବାଚନ ଅପେକ୍ଷା ୨ ପ୍ରତିଶତ ଅଧିକ ଭୋଟ ପଡିଥିବା କହିଛନ୍ତି।
ଏଥର ନିର୍ବାଚନରେ ଦିଲ୍ଲୀରେ ସର୍ବାଧିକ ୬୨.୫୯ ପ୍ରତିଶତର ରେକର୍ଡ ଭୋଟିଂ ହୋଇଥିବା କହିଛନ୍ତି। ଏଥିରେ ବଲ୍ଲୀମାରାନ ସିଟ୍ରେ ସର୍ବାଧିକ ୭୧.୩୧ ପ୍ରତିଶତ ମତଦାନ ହୋଇଥିବା ବେଳେ କେଣ୍ଟ ନିର୍ବାଚନମଣ୍ଡଳିରେ ସର୍ବନିମ୍ନ ୪୫.୪ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି। ସେହିପରି ଓଖଲାରେ ୫୮.୮ ଓ ସଲିମପୁର ସିଟ୍ରେ ୭୧.୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ମତଦାନ ହାର ଘୋଷଣାରେ ବିଳମ୍ବକୁ ନେଇ ଆପ୍ କରିଥିବା ଅଭିଯୋଗର ଜବାବ ଦେଇ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଭୋଟିଂ ଡାଟା ରିର୍ଣ୍ଣିଂ ଅଧିକାରୀ ଜାରି କରନ୍ତି। ହେଲେ ଶନିବାର ଅପରାହ୍ଣରେ ଭୋଟ ଗ୍ରହଣ ପରେ ସେମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ରହିବା ଯୋଗୁ ଡାଟା ଜାରି କରିପାରିନଥିଲେ। ଏହା ପରେ ସେମାନେ ଡାଟା ପ୍ରସ୍ତୁତ କରିବାରେ ଲାଗି ପଡିଥିଲେ। ଯେଉଁଥି ଲାଗି ଏତେ ସମୟ ଲାଗିଲା ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।