ଚାଇନାରେ ବଢ଼ୁଛି କରୋନା ସଂକ୍ରମଣ: ପ୍ରିକସନ ଡୋଜ୍, ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କେନ୍ଦ୍ର ସରକାରଙ୍କ ଅପିଲ୍
21/12/2022 at 4:11 PM

ନୂଆଦିଲ୍ଲୀ, ୨୧/୧୨: ବିଶ୍ବର କିଛି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି। ଯାହ ଏବେ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏହି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ସତର୍କତା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବୁଧବାର ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକପରେ ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଜନଗହଳିପୁର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ପ୍ରିକସନ ଡୋଜ୍ ନେବାକୁ ମଧ୍ୟ ଅନୁଗ୍ରହ କରିଛନ୍ତି ସରକାର। ବୟସ୍କଙ୍କଠାରେ ସଂକ୍ରମଣର ଗମ୍ଭୀରତାକୁ ଧ୍ୟାନ ରଖିବାକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ କହିଛନ୍ତି। ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ରୋଗରେ ପିଡ଼ୀତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। କେବଳ ୨୭ ରୁ ୨୮ ପ୍ରତିଶତ ଲୋକ ପ୍ରିକସନ ଡୋଜ୍ ନେଇଛନ୍ତି। ଅନ୍ୟମାନେ ଏବଂ ବରିଷ୍ଠ ନାଗରିକଙ୍କୁ ପ୍ରିକସନ ଡୋଜ୍ ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି କୋଭିଡ ୧୦ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ସମସ୍ତ ଅଧିକାରୀଙ୍କୁ ସତର୍କ କରାଯିବା ସହ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ। ଆମେରିକା, ଦକ୍ଷିଣ କୋରିଆ ଏବଂ ବ୍ରାଜିଲ୍ରେ କରୋନା ମହାମାରୀ ବଢ଼ିବା ପରେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ବୁଧବାର ଏକ ସମୀକ୍ଷା ବୈଠକ ଡକାଇଥିଲେ। ଏବଂ ଦେଶରେ କରୋନା ସ୍ଥିତି ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ, ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ପଜିଟିଭ ସାମ୍ପୁଲର ଜିନୋମ୍ ସିକ୍ବେନ୍ସିଂ ଏବଂ ନୂଆ ଭାରିଆଣ୍ଟର ରେକର୍ଡ ରଖିବାକୁ କହିଛନ୍ତି।