ସ୍ୱଚ୍ଛ ବାୟୁ ଅଭିଯାନ; ବାୟୁ ଗୁଣବତ୍ତା ବୃଦ୍ଧି କ୍ଷେତ୍ରରେ ଶ୍ରେଷ୍ଠ ପଦକ୍ଷେପ ନେଇଥିବା ୧୩୧ ସହରର ରାଙ୍କିଙ୍ଗ୍ କରିବେ କେନ୍ଦ୍ର ସରକାର

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ: କେଉଁ ସହରର ବାୟୁ କେତେ ସ୍ୱଚ୍ଛ ? ବାୟୁକୁ ସ୍ୱଚ୍ଛ ରଖିବା ପାଇଁ ସହର ପ୍ରଶାସନ ଓ ସରକାର କିଭଳ ପଦକ୍ଷେପ ନେଇଛନ୍ତି ? ଏସବୁ ଯାଞ୍ଚ କରିବା ପାଇଁ ସ୍ୱଚ୍ଛ ବାୟୁ ସର୍ଭେକ୍ଷଣ ଅଭିଯାନ ଆରମ୍ଭ କରିବ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(MoEFCC)। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(NCAP)୨୦୧୯ ଅଧିନରେ ଏହି ଅଭିଯାନ ଆରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ସହରରେ ବାୟୁର ମାନ(ଏୟାର କ୍ୱାଲିଟି) ଉନ୍ନତି କରିବା ଦିଗରେ ପ୍ରଶାସନ ନେଇଥିବା ପଦକ୍ଷେପ ଅନୁସାରେ ସହରମାନଙ୍କୁ ରାଙ୍କିଂ କରାଯାଇ ସମ୍ମାନିତ କରାଯିବ। ଏଥିରେ ଦେଶର ୧୩୧ ସହରକୁ ରାଙ୍କିଂ କରାଯିବ। ଗୁଜୁରାଟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦୁଇଦିନିଆ ଜାତୀୟ ସମ୍ମିଳନୀ କରିବା ଅବସର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମନ୍ତ୍ରାଳୟ କହିଛି "୨୦୨୫-୨୬ ସୁଧା ସହରରେ ବାୟୁ ପ୍ରଦୂଷଣ ୪୦ ପ୍ରତିଶତ କମାଇବା ପାଇଁ ଏନ୍‌ସିଏପିରେ ପ୍ରସ୍ତୁତ ହୋଇଥିବା ସିଟି ଆକ୍ସନ ପ୍ଲାନ ଅନୁସାରେ, ସ୍ୱଚ୍ଛ ବାୟୁ ସର୍ଭେକ୍ଷଣ ଅଭିଯାନରେ ୧୩୧ ସହରକୁ ରାଙ୍କିଂ କରାଯିବ।" ସହରର ବାୟୁର ମାନ ଆଧାରରେ ନୁହେଁ ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ କେଉଁ ସହର କେଉଁସବୁ ପଦକ୍ଷେପ ନେଇଛନ୍ତି ସେହି ଆଧାରରେ ରାଙ୍କିଂ କରାଯିବ ବୋଲି ମନ୍ତ୍ରାଳୟ କହିଛି।

ଏଥିରେ ଲୋକସଂଖ୍ୟାର ମଧ୍ୟ ଗୁରୁତ୍ୱ ରହିବ। ଏହି ଆଧାରରେ ମଧ୍ୟ ସହର ବାୟୁ ମାନ ନିର୍ଦ୍ଧାରଣ କରାଯିବ। ୧୩୧ ସହରକୁ ସେଗୁଡ଼ିକର ଜନସଂଖ୍ୟା ଆଧାରରେ ତିନୋଟି ଗ୍ରୁପ୍‌ରେ ଭାଗ କରାଯିବ। ପ୍ରଥମ ଗ୍ରୁପ୍‌ରେ ଏକ ମିଲିୟନରୁ ଅଧିକ ଜନସଂଖ୍ୟା ଥିବା ୪୭ ସହର ରହିବେ। ସେହିପରି ଦ୍ୱିତୀୟ ଗ୍ରୁପ୍‌ରେ ୩୦୦,୦୦୦ରୁ ଏକ ମିଲିୟନ ଜନସଂଖ୍ୟା ଥିବା ୪୪ ସହରକୁ ରଖାଯିବ। ତୃତୀୟରେ ୩୦୦,୦୦୦ରୁ କମ ଜନସଂଖ୍ୟା ଥିବା ୪୦ ଟାଉନକୁ ସାମିଲ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.