ତାମିଲନାଡୁରେ ବିହାର ଶ୍ରମିକଙ୍କୁ ଆକ୍ରମଣ ଘଟଣା: ତେଜସ୍ୱୀ କହିଲେ, କେନ୍ଦ୍ର ହସ୍ତକ୍ଷେପ କରି ସମାଧାନ କରୁ
5/03/2023 at 5:53 PM

ପାଟନା: ତାମିଲନାଡୁରେ ହିନ୍ଦୀଭାଷୀ ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ପ୍ରବାସୀ ଶ୍ରମିକଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଏବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ୍ ବୋଲି ତେଜସ୍ୱୀ କହିଛନ୍ତି।
ବିହାର ପ୍ରବାସୀ ଶ୍ରମିକଙ୍କ ଉପରେ ତାମିଲନାଡୁରେ ହେଉଥିବା ଆକ୍ରମଣକୁ ନେଇ ତେଜସ୍ୱୀ କହିଛନ୍ତି “ଏହି ଘଟଣାକୁ ବିହାର ସରକାର ଗୁରୁତର ସହ ନେଇଛନ୍ତି। ଏଥିପାଇଁ ଏକ ଟିମ୍ ତାମିଲନାଡୁ ପଠାଯାଇଛି। ଉଭୟ ବିହାର ଓ ତାମିଲନାଡୁ ସରକାର ଏଭଳି ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣକୁ ସହ୍ୟ କରିପାରିବେନି।”
ତେଜସ୍ୱୀ ଆହୁରି କହିଛନ୍ତି ଯେ ଏହି ଘଟଣାରେ ବିହାର ବିଜେପି ମୁଖ୍ୟ ତାମିଲନାଡୁ ବିଜେପି ମୁଖ୍ୟଙ୍କୁ ଫୋନ୍ କରିଥିଲେ। ହେଲେ ତାମିଲନାଡୁ ବିଜେପି ମୁଖ୍ୟ କହିଲେ ଏଭଳି କୌଣସି ଘଟଣା ଘଟି ନାହିଁ। ସତ କଣ ତାହା ଜାଣିବା ପାଇଁ ଆମ ସରକାର ତାମିଲନାଡୁକୁ ଏକ ଟିମ୍ ପଠାଇଛନ୍ତି। ତାମିଲନାଡୁର କିଛି ଜିଲ୍ଲାରେ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। କିନ୍ତୁ କେନ୍ଦ୍ର ସରକାର ଏନେଇ କିଛି ଚିନ୍ତା କରିଥିବା ଆପଣ ଦେଖିଛନ୍ତି କି ? କେନ୍ଦ୍ର ସରକାର ଏ ବିଷୟରେ ହସ୍ତକ୍ଷେପ କରି ଦୁଇ ରାଜ୍ୟ ଭିତରେ ଥିବା ସମସ୍ୟା ଦୂର କରିବା ଦରକାର ବୋଲି ତେଜସ୍ୱୀ କହିଛନ୍ତି।
ବିହାର ଶ୍ରମିକଙ୍କୁ ଆକ୍ରମଣ କରାଯିବା ନେଇ ସୋସିଆଲ୍ ମିଡିଆରେ ଖବର ପ୍ରକାଶ ପାଇବା ପରେ ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିଥିଲେ ବିହାର ଓ ତାମିଲନାଡୁ ସରକାର। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପ୍ରବାସୀଙ୍କୁ ଶ୍ରମିକଙ୍କୁ ସୁରକ୍ଷା ପାଇଁ ଆଶ୍ୱାସନା ଦେଇଥିଲେ।
ଅନ୍ୟପଟେ ତାମିଲନାଡୁ ପୁଲିସର କହିବା କଥା ହେଲା ଭିଡିଓରେ ଦାବି କରାଯାଇଥିବା ଘଟଣା ଭିତ୍ତିହୀନ। ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଏପରି କରାଯାଇଛି।
ଆଜି ଘଟଣାକୁ ନେଇ ତାମିଲନାଡୁ ରାଜ୍ୟପାଳଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରବାସୀ ଶ୍ରମିକମାନେ ଭୟଭୀତ ହୁଅନ୍ତୁ ନାହିଁ। ତାମିଲନାଡୁ ଲୋକେ ଭାରି ବନ୍ଧୁତ୍ୱପୂର୍ଣ୍ଣ ସ୍ୱଭାବ। ଏଠାକାର ସରକାର ପ୍ରବାସୀମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ତାମିଲନାଡୁ ରାଜ୍ୟଭବନ ପକ୍ଷରୁ ସୂଚନା ଦିଆଯାଇଛି।