ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ବିରୋଧରେ ବଡ଼ କର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର ଶନିବାର ପୂଜା ଖେଡଖରଙ୍କୁ ତତ୍କାଳ ପ୍ରଭାବରୁ ଆଇଏଏସରୁ ବରଖାସ୍ତ କରିଛନ୍ତି । ସରକାରଙ୍କ ଦ୍ୱାରା ଏହି ଆକ୍ସନ ଆଇଏଏସ୍ (ପ୍ରୋଭିସନ୍) ନିୟମ, ୧୯୫୪ର ନିୟମ ୧୨ ଅଧିନରେ ନିଆଯାଇଛି । ଏହା ପୂର୍ବରୁ ୟୁପିଏସସି ଆଇଏଏସ୍ଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରି ଜାଲିଆତି ମାମଲା ରୁଜୁ କରିଥିଲା । ଏହାସହ ଭବିଷ୍ୟତରେ ସମସ୍ତ ପରୀକ୍ଷା ଦେବା ଉପରେ ରୋକ୍ ଲଗାଇଥିଲା ।
ଦୁଇ ଦିନ ପୂର୍ବେ ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ସେ ଏମ୍ସରେ ନିଜ ଦିବ୍ୟାଙ୍ଗତାର ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି । ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟ ଅଗ୍ରୀମ ଜାମିନ ଆବେଦନ ଦାଖଲ କରିଛନ୍ତି । ଫେକ୍ ଭିନ୍ନକ୍ଷମ ପ୍ରମାଣ ପତ୍ର ଆଶଂକା ନେଇ ଦିଲ୍ଲୀ ପୋଲିସର ଅଭିଯୋଗ ପରେ ପୂଜା ଖେଡକରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ପୂଜା ଖେଡକରଙ୍କ ବିରୋଧରେ ଜାଲିଆତି କରିବା ସହ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଭିନ୍ନକ୍ଷମ କୋଟାର ଭୁଲ ମାର୍ଗରେ ଲାଭ ନେଇଥିବା ଅଭିଯୋଗ ରହିଛି ।
ପୂଜା ଖେଡ଼କର ୨୦୨୦-୨୧ରେ ଓବିସି କୋଟାରେ ପୂଜା ଦିଲୀପରାଓ ଖେଡକର ନାଁରେ ପରୀକ୍ଷା ଦେଇଥିଲେ । ୨୦୨୧-୨୨ରେ ସମସ୍ତେ ଆଟେମ୍ପଟ୍ ପୂରା କରିବା ପରେ ଓବିସି ଏବଂ ପିଡବ୍ଲୁବିଡି କୋଟାରେ ପରୀକ୍ଷାରେ ସାମିଲ ହୋଇଥିଲେ । ସେତେବେଳେ ସେ ପୂଜା ମନୋରମା ଦିଲୀପ ଖେଡକର ନାଁ ବ୍ୟବହାର କରିଥିଲେ । ପୂଜା ସର୍ବଭାରତୀୟ ସ୍ତରରେ ୮୨୧ ରାଙ୍କ ହାସଲ କରିଥିଲେ । ପୂଜା ଖେଡକର ନିଜ ନାଁ, ବାପା-ମାଆଙ୍କ ନାଁ, ନିଜ ଫଟୋ, ହସ୍ତାକ୍ଷର, ଇମେଲ୍ ଆଇଡି, ମୋବାଇଲ ନମ୍ୱର ଏବଂ ଠିକଣା ବଦଳାଇ ନିଜ ପରିଚୟରେ ଜାଲିଆତି କରି ପରୀକ୍ଷା ପାଇଁ ପ୍ରୟାସ କରିଥିବା ଅଭିଯୋଗ ରହିଛି ।