କୋଚିଂ ସେଣ୍ଟର ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍, ୧୬ ବର୍ଷରୁ କମ ପିଲାଙ୍କ ନାମ ଲେଖାଇ ପାରିବେ ନାହିଁ

Published By : Prameya-News7 Bureau | January 18, 2024 IST

ନୂଆଦିଲ୍ଲୀ: କୋଚିଂ ସେଣ୍ଟରଗୁଡିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁସାରେ, କୋଚିଂ ସେଣ୍ଟରଗୁଡ଼ିକ ଏଣିକି ପ୍ରଫେସନାଲ୍ କୋର୍ସ ପାଇଁ ୧୬ ବର୍ଷରୁ କମ ବର୍ଷୀୟ ଛାତ୍ରଛାତ୍ରୀଙ୍କ ନାମାଙ୍କନ କରିପାରିବେ ନାହିଁ । ଏହାସହ ଭ୍ରମିତ କଲା ଭଳି ପ୍ରତିଶ୍ରୁତି ଦେଇପାରିବେ ନାହିଁ ଏବଂ ଭଲ ରାଙ୍କର ଗ୍ୟାରେଣ୍ଟି ମଧ୍ୟ ଦେଇପାରିବେ ନାହିଁ । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢିବା ଏବଂ କୋଚିଂ ସେଣ୍ଟରରେ ସୁବିଧା ନଥିବା ଅଭିଯୋଗ ଓ ଶିକ୍ଷା ପଦ୍ଧତି ଉପରେ ଅଭିଯୋଗ ମିଳିବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି ।

ନୂଆ ଗାଇଡ୍‌ଲାଇନ୍ ଅନୁସାରେ ସ୍ନାତକରୁ କମ୍ ଯୋଗ୍ୟତା ଥିବା କୌଣସି ଟ୍ୟୁଟର୍ସଙ୍କୁ ନିଯୁକ୍ତି ଦେବେ ନାହିଁ । କୋଚିଂ ସେୟାରରେ ବିଦ୍ୟାର୍ଥୀଙ୍କ ପଞ୍ଜିକରଣ ପାଇଁ ବାପା-ମାଆଙ୍କୁ ଭ୍ରମିତ କଲା ଭଳି ପ୍ରତିଶ୍ରୁତି କିମ୍ୱା ଭଲ ରାଙ୍କର ଗ୍ୟାରେଣ୍ଟି ଦେବେ ନାହିଁ । ସଂସ୍ଥାଗୁଡିକ ୧୬ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କ ନାମାଙ୍କନ କରିପାରିବେ ନାହିଁ । ନୂଆ ଏସଓପି ଅନୁସାରେ ଛାତ୍ରଙ୍କ ନାମାଙ୍କନ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପରେ ହିଁ କରାଯିବା ଦରକାର । ଏହାସହ କୋଚିଂ ସେଣ୍ଟରଗୁଡିକ ଏପରି କୌଣସି ବ୍ୟକ୍ତିଙ୍କ ସେବା ନେଇପାରିବେ ନାହିଁ ଯିଏ ପୂର୍ବରୁ କୌଣସି ଅପରାଧରେ ଦୋଷୀ ସାବସ୍ତ୍ୟ ହୋଇଥିବେ ।

ପଢନ୍ତୁ: ସଫଳତାର ୧୦୦% ଗ୍ୟାରେଣ୍ଟି ଦେଉଥିବା କୋଚିଂ ସଂସ୍ଥା ଉପରେ ହେବ ଆକ୍ସନ, କେନ୍ଦ୍ର ଆଣୁଛି କଠୋର ନିୟମ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନୂଆ ଗାଇଡ୍‌ଲାଇନରେ କୁହାଯାଇଛି ଯେ କୋଚିଂ ସେଣ୍ଟରଗୁଡିକ ପାଖରେ ଟ୍ୟୁଟର୍ସର ଯୋଗ୍ୟତା, ପାଠ୍ୟକ୍ରମ, ପୂରା ହେବାର ଅବଧି, ଛାତ୍ରବାସ ସୁବିଧା ଏବଂ ଫି' ବାବଦୀୟ ଅପଡେଟ୍ ବିବରଣୀ ସହ ଏକ ୱେବସାଇଟ୍ ରହିବା ଦରକାର । ଏହାସହ ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକୀୟ ଚାପ ନପକାଇ ପଢାଯିବା ଦରକାର ବୋଲି କୁହାଯାଇଛି ।

ନୂଆ ଗାଇଡ୍‌ଲାଇନ୍ ଅନୁସାରେ, ବିଭିନ୍ନ ପାଠ୍ୟକ୍ରମ ପାଇଁ ନିଆ ଯିବାକୁ ଥିବା ଟ୍ୟୁସନ୍ ଫି’ର ରସିଦ ଉପଲବ୍ଧ କରାଇବାକୁ ହେବ । ଯଦି ପାଠ୍ୟକ୍ରମ ପାଇଁ ଛାତ୍ର ସମସ୍ତ ଟଙ୍କା ଅଗ୍ରୀମରେ ପୈଠ କରିଥାନ୍ତି ଏବଂ ଅଧାରୁ ଟ୍ୟୁସନ ଛାଡନ୍ତି, ତେବେ ବଳକା ଟଙ୍କାକୁ ୧୦ ଦିନ ଭିତରେ ଫେରସ୍ତ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.