କିଏ ସୌରଭ କିରପାଲ ? ପୂର୍ବତନ ସିଜେଆଇଙ୍କ ପୁଅ ହୋଇପାରନ୍ତି ଦେଶର ପ୍ରଥମ ସମଲିଙ୍ଗୀ ଜଜ୍

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: ପୁଣି ଅଟକିଲା ବରିଷ୍ଠ ଆଇନଜୀବୀ ସୌରଭ କିରପାଲଙ୍କ ପଦୋନ୍ନତି । ସୌରଭ କିରପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିଅମ କରିଥିବା ସୁପାରିସକୁ କେନ୍ଦ୍ର ସରକାର ପୁଣି ଫେରାଇ ଦେଇଛନ୍ତି । ସୌରଭ କିରପାଲ ହେଉଛନ୍ତି ପୂର୍ବତନ ସିଜେଆଇ ବିଏନ କିରପାଲଙ୍କ ପୁଅ । ସୌରଭ ଏଲଜିବିଟି ସମୁଦାୟର ସଦସ୍ୟ । ପୂର୍ବତନ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିଏମ ଏହି ସୁପାରିସ କରିଥିଲା । ୨୦୨୧ ନଭେମ୍ୱର ୧୧ରେ ବିଚାରପତିମାନଙ୍କ ଏହି ଗ୍ରୁପ୍ ଉଚ୍ଚ ନ୍ୟାୟାଳୟରେ ଜଜ୍ ଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସୌରଭ କିରପାଲଙ୍କ ନାଁକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ୨୦୧୭ ମସିହାରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ କିରପାଲଙ୍କ ନାଁକୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ପାଇଁ ସୁପାରିସ କରିଥିଲେ । ନିଯୁକ୍ତିରେ ବିଳମ୍ୱ ଉପରେ କିରପାଲ କହିଛନ୍ତି, ତାଙ୍କ ସେକ୍ସୁଆଲ ଓରିଏନଟେସନ ପାଇଁ ଏପରି କରାଯାଇଛି । ଯଦି ସୌରଭ କିରପାଲଙ୍କ ନିଯୁକ୍ତି ହୁଏ ତେବେ ସେ ଦେଶର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ।

ଏକ ସାକ୍ଷାତକାରରେ କିରପାଲ ଅଭିଯୋଗ କରିଛନ୍ତି ଯେ, ସେକ୍ସୁଆଲିଟି କାରଣ ଯୋଗୁଁ ବିଚାରପତି ଭାରେ ପଦୋନ୍ନତି ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ବିଚାର କରାଯାଉ ନାହିଁ । ରିପୋର୍ଟ ଅନୁସାରେ, ସୌରଭ କ୍ରିପାଲଙ୍କ ସମ୍ପର୍କ ଜଣେ ବିଦେଶୀ ନାଗରିକଙ୍କ ସହ ରହିଛି ଏବଂ ଦେଶର ସୁରକ୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କ ନାଁକୁ ଫେରାଉଛନ୍ତି । ଅନ୍ୟପଟେ ଆଇନଜୀବୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

ଗତ ସୋମବାର ଜଷ୍ଟିସ ସଞ୍ଜୟ କ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, କୋର୍ଟଙ୍କ ଦ୍ୱାରା ସୁପାରିସ କରାଯାଇଥିବା ନାଁ ଗୁଡିକ ଗତ ଏକ ବର୍ଷ ଧରି ବିଚାରଧିନ ରହିଛି । ଯାହା ନିୟମର ଉଲ୍ଲଂଘନ । କେନ୍ଦ୍ର ସରକାର ଏନଜେଏସି ବିଲ୍ ପାରିତ କରାଇ ନ ପାରିବା ଏହି ବିଳମ୍ୱ ପଛର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.