ମୁଦ୍ରାସ୍ଫୀତି ଏବେ ବି ଆହ୍ୱାନ ହୋଇ ରହିଛି, ମୁକାବିଲା ପାଇଁ ଆଲର୍ଟରେ ସରକାର ଓ RBI : ଅର୍ଥ ମନ୍ତ୍ରାଳୟ
21/11/2023 at 6:53 PM

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏବେ ବି ଆହ୍ୱାନ ହୋଇ ରହିଛି । ଏଥିପାଇଁ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ହାଇ ଆଲର୍ଟରେ ଅଛନ୍ତି । ଅର୍ଥ ମନ୍ତ୍ରାଳୟର ମାସିକ ରିପୋର୍ଟରେ ଏହା କୁହାଯାଇଛି । ନଭେମ୍ୱର ୨୧ରେ ମନ୍ତ୍ରାଳୟ ଅକ୍ଟୋବରର ଆର୍ଥିକ ରିପୋର୍ଟ ଜାରି ରହିଛି ।
ତେବେ ରିପୋର୍ଟରେ କୁହାଯାଇଛି ଯେ ଅଶୋଧିତ ତୈଳର ଅନ୍ତରାଷ୍ଟ୍ରୀୟ ମୂଲ୍ୟ ହ୍ରାସ ଓ କୋର୍ ଇନଫ୍ଲାସନରେ ଲଗାତାର ହ୍ରାସ ଯୋଗୁଁ ଦରବୃଦ୍ଧିର ଚାପ କମ କରିବାରେ ସହଯୋଗ ମିଳିଛି । କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଏହି ପରିସ୍ଥିତି ଉପରେ ଅବଗତ ଅଛି । ଆରବିଆଇ ସଂକେତ ଅନୁସାରେ ଅତ୍ୟନ୍ତ ଜରୁରୀ ସ୍ଥିତିରେ ହିଁ ସୁଧହାରରେ ବୃଦ୍ଧି କରାଯିବ ।
ପଢନ୍ତୁ: ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି, ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ
ସରକାରୀ ଡାଟା ଅନୁସାରେ, ନଭେମ୍ୱରରେ ଏବେ ସୁଦ୍ଧା ଭାରତର କ୍ରୁଡ୍ ଅଏଲ ବାସ୍କେଟର ହାରାହାରି ମୂଲ୍ୟ ୮୩.୯୩ ଡଲାର ପ୍ରତି ବ୍ୟାରେଲ ରହିଛି । ଅକ୍ଟୋବରରେ ଏହି ମୂଲ୍ୟ ୯୦.୦୮ ଡଲାର ପ୍ରତି ବ୍ୟାରେଲ ଥିଲା । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ମାସର ସର୍ବନିମ୍ନ ସ୍ତର ୪.୮୭ ପ୍ରତିଶତ ରହିଥିଲା । ଏହିପରି, ଲଗାତାର ଦ୍ୱିତୀୟ ମାସରେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ୨-୬ ପ୍ରତିଶତ ମଧ୍ୟରେ ରହିଥିଲା । ତେବେ ଖାଦ୍ୟ ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ସହ ୬.୬୧ ପ୍ରତିଶତ ରହିଥିଲା । ଅକ୍ଟୋବରରେ କୋର ଇନଫ୍ଲାସେନ ହ୍ରାସ ପାଇ ୪.୨ ପ୍ରତିଶତ ଥିଲା, ଯାହା ସେପ୍ଟେମ୍ୱରରେ ମଧ୍ୟ ୪.୨ ପ୍ରତିଶତ ଥିଲା ।