ନୂଆଦିଲ୍ଲୀ ୦୨।୦୫: କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ଦେଶର ଅନେକ ରାଜ୍ୟରେ ପାକିସ୍ତାନୀ ନାଗରିକ ଫସି ରହିଛନ୍ତି। ଏବେ ୧୯୦ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ଫେରି ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ୧୦ଟି ରାଜ୍ୟରେ ଫସି ରହିଥିବା ଏହି ପାକିସ୍ତାନୀ ନାଗରିକ ଅଟାରୀ-ଓ୍ଵାଘା ବର୍ଡର ଦେଇ ଆସନ୍ତା ସପ୍ତାହରେ ନିଜ ଦେଶକୁ ଯିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପାକିସ୍ତାନୀ ନାଗରିକଙ୍କୁ ମଙ୍ଗଳବାର ମେ ୫ ତାରିଖ ସକାଳେ ଅଟାରୀ-ଓ୍ଵାଘା ବର୍ଡରରେ ପହଞ୍ଚିବାକୁ କୁହାଯାଇଛି। ସେଠାରେ ବାକି ଔପଚାରିକ ପୂରଣ କରାଯିବ। ପାକିସ୍ତାନ ଉଚ୍ଚାୟୋଗ ପକ୍ଷରୁ ଭାରତ ସରକାରଙ୍କୁ ଦେଶର ବିଭିନ୍ନ ରାଜ୍ୟରେ ଫସି ଥିବା ନିଜ ନାଗରିକଙ୍କୁ ପଠାଇବା ଲାଗି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।
କୋଭିଡ୍-୧୯ ସମୟରେ ଦେଶରୁ ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯିବାରେ ଏହା ହେଉଛି ଦ୍ଵିତୀୟ ବଡ ଗ୍ରୁପ। ଏହା ପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନ ଫେରିଥିବା ଗ୍ରୁପ ବହୁତ ଛୋଟ ଥିଲା ଏବଂ ଏଥିରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶର ଲୋକ ସାମିଲ ଥିଲେ।
ମଙ୍ଗଳବାର କରାଯାଇଥିବା ପ୍ରତ୍ୟାବର୍ତ୍ତନ ପାଇଁ ୧୦ ରାଜ୍ୟରେ ୨୫ ଜିଲ୍ଲାରେ ରହୁଥିବା ୧୯୩ ପାକ୍ ନାଗରିକ ସାମିଲ। ଏଥିରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଛତିଶଗଡ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ।
ସେଥିରୁ ଅଧିକାଂଶ ଶନିବାର କିମ୍ବା ରବିବାର ପଞ୍ଜାବର ଅଟାରୀ ଯିବା ପାଇଁ ସଡକ ପଥରେ ଯାତ୍ରା ଆରମ୍ଭ କରିବେ। ସେମାନଙ୍କ ମଧ୍ୟରୁ ଆଉ କିଛି ଦୁଇ ଦିନରେ ସଡକ ପଥରେ ଯାତ୍ରା କରିବେ। ଛୋଟ ଗୋଷ୍ଠୀ କୋଲକାତାରୁ ୧୭୦୦ କିଲୋମିଟର ଯାତ୍ରା ଆରମ୍ଭ କରିବେ।
ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦମ୍ମୁ ରାଓ କହିଛନ୍ତି, ଏହା ଅନୁରୋଧ କରାଯାଉଛି ଯେ, ପାକିସ୍ତାନର ସମସ୍ତ ନାଗରିକଙ୍କୁ ଭାରତ ସରକାରଙ୍କ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଏବଂ ସଂପ୍ରତି ପ୍ରାବଧାନ ଅନୁସାରେ ଯାଞ୍ଚ କରାଯାଇ ନିଜ ଦେଶକୁ ଫେରିଯିବାକୁ ଅନୁମତି ଦିଆଯିବ। ଏହା ସହିତ ସମସ୍ତଙ୍କର କୋଭିଡ୍-୧୯ ଯାଞ୍ଚ କରାଯିବ।