କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢିପାରେ DA
5/02/2023 at 3:43 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁବଶୀଘ୍ର ଖୁସି ଖବର ଦେଇପାରନ୍ତି । କର୍ମଚାରୀଙ୍କ ବର୍ତ୍ତମାନର ମହଙ୍ଗା ଭତ୍ତା (ଡିଏ) ୩୮ ପ୍ରତିଶତକୁ ବଢାଇ ୪୨ ପ୍ରତିଶତ କରିପାରନ୍ତି । ଏଥିପାଇଁ ଏକ ନୂଆ ଫର୍ମୁଲା ଉପରେ ସହମତି ପ୍ରକାଶ ପାଇଛି ।
କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତାର ଗଣନା ପ୍ରତି ମାସରେ ଶ୍ରମ ବ୍ୟୁରୋ ଦ୍ୱାରା ଜାରି ସିପିଆଇ-ଆଇଡବ୍ଲୁ ଆଧାରରେ କରାଯାଇଥାଏ । ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରାଳୟ ଅଧିନରେ ଆସିଥାଏ । ଅଲ ଇଣ୍ଡିଆ ରେଲୱେମ୍ୟାନ ଫେଡରେସନର ମହାସଚିବ କହିଛନ୍ତି ଯେ ୨୦୨୨ ଡିସେମ୍ୱର ପାଇଁ ସିପିଆଇ-ଆଇଡବ୍ଲୁ ଜାନୁଆରୀ ୩୧ରେ ଜାରି କରାଯାଇଛି । ମହଙ୍ଗା ଭତ୍ତାରେ ୪.୨୩ ପ୍ରତିଶତ ବୃଦ୍ଧିର ଆକଳନ ରହିଛି । କିନ୍ତୁ ସରକାର ଡିଏରେ ଦଶମିକ ପର ଅଙ୍କକୁ ଗଣନା କରି ନଥାନ୍ତି । ଏପରି ସ୍ଥିତିରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଏହାକୁ ୩୮ ପ୍ରତିଶତକୁ ବଢାଇ ୪୨ ପ୍ରତିଶତ କରାଯାଇ ପାରେ ।
ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଡିଏରେ ବୃଦ୍ଧି ଉପରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିବ । ଏଥିରେ ରାଜସ୍ୱ ପ୍ରଭାବ ଉପରେ ମଧ୍ୟ ଆକଳନ କରାଯିବ । ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମନାରେ ଉପସ୍ଥାପନ କରାଯିବ । ମହଙ୍ଗା ଭତ୍ତାରେ ବୃଦ୍ଧି ୨୦୨୩ ଜାନୁଆରୀ ୧ରୁ ଲାଗୁ ହେବ ।