ଯୌନ କେଳେଙ୍କାରୀ ମାମଲାରେ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର

Published By : Prameya-News7 Bureau | May 24, 2024 IST

indiatoday

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରଜ୍ଜ୍ୱଳଙ୍କ ଡିପ୍ଲୋମାଟିକ୍ ପାସ୍‌ପୋର୍ଟ ରଦ୍ଦ କରିବା ନେଇ କର୍ଣ୍ଣାଟକ ସରକାର ଶୁକ୍ରବାର ଚିଠି ଲେଖିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। 

ବିଜେପି-ଜେଡିଏସ୍‌ର ହସନ ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଲାଗିଛି। ଯୌନ କେଳେଙ୍କାରୀ ରେକର୍ଡ କରାଯାଇଥିବା ପାଖାପାଖି ୩ ହଜାରୁ ଭିଡିଓ ଥିବା ପେନ୍‌ ଡ୍ରାଇଭ ମିଳିଛି। କିଛି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଏହି ଘଟଣା ପରେ ପ୍ରଜ୍ଜ୍ୱଳ ରାତାରାତି ଦେଶ ଛାଡ଼ି ପଳାଯାଇଛନ୍ତି। ବର୍ତ୍ତମାନ ସେ ଜର୍ମାନୀରେ ଆତ୍ମଗୋପନ କରିଥିବା କୁହାଯାଉଛି। 

ଘଟଣାକୁ ନେଇ କର୍ଣ୍ଣାଟକର ମାସାଧିକ କାଳ ତୁମ୍ବିତୋଫାନ ଲାଗି ରହିଛି। କର୍ଣ୍ଣାଟକ ସରକାର ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିବା ସହିତ ତାଙ୍କୁ ଧରାଇ ଦେବାକୁ ଅନ୍ତର୍ଜାତୀୟ ପୁଲିସ ସଂଘ ଇଣ୍ଟରପୋଲ୍‌ର ସହାୟତା ନେଇଛନ୍ତି। ଇଣ୍ଟରପୋଲ୍‌ ମଧ୍ୟ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଛି। ଯେଉଁ ଡିପ୍ଲୋମେଟିକ ପାସ୍‌ପୋର୍ଟ ସହଯୋଗରେ ରେଭନ୍ନା ଦେଶ ଛାଡି ଚାଲିଯିବାକୁ ସମର୍ଥ ହେଲେ, ତାକୁ ରଦ୍ଦ କରିବାକୁ ଗୁରୁବାର କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। 

ସୂଚନା ଅନୁସାରେ, ଯଦି ପ୍ରଜ୍ଜ୍ୱଳଙ୍କ ପାସ୍‌ପୋର୍ଟ ରଦ୍ଦ ହୋଇଗଲା ତେବେ ବିଦେଶରେ ରହିବା ତାଙ୍କର ବେଆଇନ ହେବ। ସେ ଯେଉଁ ଦେଶରେ ରହିଛନ୍ତି ସେଠାକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଘଟଣା ସମ୍ପର୍କରେ ପରିଚିତ ଜଣେ ବ୍ୟକ୍ତି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.