ଗଠନ ହେବ ଜାତୀୟ ହଳଦୀ ବୋର୍ଡ: ହଳଦୀ ଉତ୍ପାଦନ ବୃଦ୍ଧି ସହ ୨୦୩୦ ସୁଦ୍ଧା ୧ ବିଲିଅନ ଡଲାର ହଳଦୀ ରପ୍ତାନୀ କରିବାକୁ ଲକ୍ଷ୍ୟ
4/10/2023 at 7:08 PM

ନୂଆଦିଲ୍ଲୀ: ଆଜି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଦେଶରେ ଭାରତୀୟ ହଳଦୀର ବଜାର ସୃଷ୍ଟି କରିବା ସହ ରପ୍ତାନୀ ବଢ଼ାଇବା ଲକ୍ଷ୍ୟରେ ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ହଳଦୀ ଚାଷ ବଢ଼ାଇବା ଓ ଏହାର ଉନ୍ନତୀ କରଣ ଦିଗରେ ଏହି ବୋର୍ଡ କାର୍ଯ୍ୟ କରିବ।
ଏଥିସହିତ ସେଣ୍ଟ୍ରାଲ ଟରମରିକ ବୋର୍ଡ, ସ୍ପାଇସ୍ ବୋର୍ଡ ଓ ଅନ୍ୟ ସରକାରୀ ଏଜେନ୍ସିଂ ସହଯୋଗରେ ହଳଦୀ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବ। ବିଦେଶରେ ହଳଦୀର ଚାହିଦା ବୃଦ୍ଧି କରିବା ଓ ସଚେତନତା ବଢ଼ାଇବା, ରପ୍ତାନୀ ବୃଦ୍ଧି କରିବାକୁ ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବା, ନୂଆ ନୂଆ କିଶମ ହଳଦୀ ଉତ୍ପାଦନରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଆଦି ବୋର୍ଡର ପ୍ରଥମ ଲକ୍ଷ୍ୟ ରହିବ। ଏଥିସହିତ ହଳଦୀର ମୂଲ୍ୟବୋଧକୁ ବଢ଼ାଇବାକୁ ପାଇଁ ଏହାର ପାରମ୍ପରିକ ଜ୍ଞାନ ବର୍ଦ୍ଧନ କରିବା ମଧ୍ୟ ବୋର୍ଡର ପ୍ରାଥମିକ ଦାୟିତ୍ୱ ରହିବ।
ଅଧିକନ୍ତୁ ହଳଦୀ ଚାଷୀଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି କରିବା ସହ ଖାଦ୍ୟ ସୁରକ୍ଷା ମାନକ ନିୟମର ପାଳନ କରିବା ବିଷୟରେ ଅବଗତ କରାଇବା ଏହି ବୋର୍ଡର ଦାୟିତ୍ୱ ହେବ। ସୂଚନା ଅନୁସାରେ, ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ହଳଦୀ ଉତ୍ପାଦନ କରାଯିବା ସହ ଅଧିକ ଖାଉଟି ମଧ୍ୟ ରହିଛନ୍ତି। ବିଶ୍ୱ ହଳଦୀ ବଜାରରେ ଭାରତର ପ୍ରଭାବ ରହିଛି। ୨୦୨୨-୨୩ରେ ଭାରତରେ ୩୨୪୦୦୦ ହେକ୍ଟରରେ ହଳଦୀ ଚାଷ କରାଯାଇଥିଲା। ଏଥିରେ ୧.୧ ମିଲିଅନ ଟନ୍ ଉତ୍ପାଦନ ହୋଇଥିଲା। ଯାହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫ ପ୍ରତିଶତ ହେବ।
ପଢ଼ନ୍ତୁ-ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ମୂଲ୍ୟ; ସବ୍ସିଡି ବଢ଼ାଇଲେ କେନ୍ଦ୍ର ସରକାର, ଏବେ ଏତିକି ଟଙ୍କାରେ ମିଳିବ
ଦେଶର ୨୦ଟି ରାଜ୍ୟରେ ୩୦ଟି କିଶମର ହଳଦୀ ଚାଷ କରାଯାଉଛି। ସେଥିମଧ୍ୟରୁ ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ସର୍ବାଧିକ ହଳଦୀ ଚାଷ କରାଯାଉଛି। ବର୍ତ୍ତମାନ ବିଶ୍ୱ ହଳଦୀ ବାଣିଜ୍ୟରେ ଭାରତର ଶେୟାର ୬୨ ପ୍ରତିଶତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ୩୮୦ ରପ୍ତାନିକାରୀଙ୍କ ଦ୍ୱାରା ୨୦୭.୪୫ ମିଲିୟନ ଡଲାର ମୂଲ୍ୟର ୧୫୩,୪୦୦ ଟନ୍ ହଳଦୀ ଓ ତତ୍ସମ୍ପର୍କିତ ସାମଗ୍ରୀ ରପ୍ତାନୀ କରିଥିଲା। ବାଂଲାଦେଶ, ୟୁନାଇଟେଡ୍ ଆରବ ଏମିରାଟ୍, ଆମେରିକା, ଓ ମାଲେସିଆ ହେଉଛନ୍ତି ଭାରତର ପ୍ରମୁଖ ଗରାଖ।
ତେବେ କ୍ୟାବିନେଟ୍ ନିଷ୍ପତ୍ତିରେ ଗଠନ ହେବାକୁ ଯାଉଥିବା ଜାତୀୟ ହଳଦୀ ବୋର୍ଡରେ ଆୟୁଷ ମନ୍ତ୍ରଣାଳ, ଫାର୍ମାଶୁଟିକାଲ ବିଭାଗ, କୃଷି ଓ କୃଷକ ମଙ୍ଗଳ, କେନ୍ଦ୍ର ସରକାରଙ୍କର ବାଣିଜ୍ୟ ଓ ଉଦ୍ୟୋଗ, ୩ ରାଜ୍ୟରେ ବରିଷ୍ଠ ରାଜ୍ୟ ସରକାର ପ୍ରତିନିଧି(ପରିବର୍ତ୍ତିତ ଆଧାରରେ), ଗବେଷଣାରେ ସାମିଲ୍ ହେବା ପାଇଁ ଚୟନିତ ରାଜ୍ୟ ଓ ଜାତୀୟ ସଂସ୍ଥାନ, ହଳଦୀ ଚାଷୀ ଓ ରପ୍ତାନୀକାରୀଙ୍କ ଆଦି ପ୍ରତିନିଧି ଭାବେ ରହିବେ। ବୋର୍ଡରେ ବାଣିଜ୍ୟିକ ବିଭାଗର ସଚିବଙ୍କୁ ନିଯୁକ୍ତି ଦିଆଯିବ। ବୋର୍ଡର ଅଧ୍ୟକ୍ଷଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେବେ ବୋଲି କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି।
ପଢ଼ନ୍ତୁ-ଛାଡିଲେ ୮୦ଲକ୍ଷର ଚାକିରୀ,ଏବେ ଗାଁରେ କରୁଛନ୍ତି ଚାଷ, ବାର୍ଷିକ ରୋଜଗାର କୋଟିକୋଟି
ଏଥିସହିତ ୨୦୩୦ ସୁଦ୍ଧା ଭାରତକୁ ଆଗ ଧାଡ଼ିର ହଳଦୀ ରପ୍ତାନିକାରୀ ଦେଶ ଭାବେ ଗଢ଼ି ତୋଳିବା ସହ ୧ ବିଲିଅନ ଡଲାର ହଳଦୀ ରପ୍ତାନୀ କରିବାକୁ ଲକ୍ଷ ରଖାଯାଇଛି। ଚଳିତ ସପ୍ତାହ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଳଦୀ ବିଷୟରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ନ୍ୟାସ୍ନାଲ ଟର୍ମରିକ ବୋର୍ଡ ଗଠନ କରି ହଳଦୀ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ ବୋଲି କହିଥିଲେ।