ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡ଼ିକ ଦ୍ଵାରା ଦିଆଯାଉଥିବା ମାଗଣା ଉପହାରର ପ୍ରତିଶ୍ରୁତିକୁ ଲାଞ୍ଚ ଘୋଷିତ କରିବା ଦାବିରେ ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଆବେଦନରେ ନିବେଦନ କରାଯାଇଛି ଯେ ନିର୍ବାଚନ ଆୟୋଗ ଏମିତି ପ୍ରତିଶ୍ରୁତି ଉପରେ ତତ୍କାଳ ରୋକ ଲଗାଇବା ପାଇଁ ପଦକ୍ଷେପ ନିଅନ୍ତୁ। ସୁପ୍ରିମକୋର୍ଟ ନିର୍ବାଚନ ସମୟରେ ମାଗଣାରେ ଦିଆଯାଉଥିବା ଉପହାର ସଂପର୍କରେ ଦାଖଲ ସମସ୍ତ ଆବେଦନକୁ ଏକତ୍ର ଯୋଡ଼ି ଶୁଣାଣି କରିବେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ଖଣ୍ଡପୀଠରେ ବେଙ୍ଗାଲୁରୁର ବ୍ୟକ୍ତି ଶଶାଙ୍କ ଜେ ଶ୍ରୀଧାରାଙ୍କ ପକ୍ଷରୁ ଯାଚିକା ଦାୟର କରାଯାଇଛି। ଏଥିରେ ନିର୍ବାଚନ ସମୟରେ ମାଗଣା ଉପହାର ଏବଂ ପ୍ରତିଶ୍ରୁତି ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ କହିଛନ୍ତି, ମାଗଣା ଉପହାର କାରଣରୁ ସରକାରୀ ରାଜକୋଷ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଥାଏ। ଏହା ଦିନକୁ ଦିନ ଲଗାମ ଛଡ଼ା ହୋଇ ଚାଲିଛି। ଏହା ବାଦ୍ ସେମିତି କୌଣସି ତନ୍ତ୍ର ନାହିଁ ଯଦ୍ଵାରା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯିବ। ଏହାପୂର୍ବରୁ ମାମଲାରେ ଆଡଭୋକେଟ୍ ଅଶ୍ଵିନୀ ଉପାଧ୍ୟାୟ ଓ ଅନ୍ୟମାନଙ୍କ ଦ୍ଵାରା ଦାୟର ଯାଚିକା ଉପରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ। ସୁପ୍ରିମକୋର୍ଟ ମାମଲାରେ ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ।
ମାମଲାରେ ଜନସ୍ଵାର୍ଥ ମାମଲା ଦାୟର କରିଥିବା ଓକିଲ ଅଶ୍ଵିନ ଉପାଧ୍ୟାୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ କହିଥିଲେ ଯେ, ମାମଲାରେ ଶୁଣାଣିର ଆବଶ୍ୟକତା ରହିଛି। ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ କରାଯାଉଥିବା ଲୋଭନୀୟ ଘୋଷଣା ଉପରେ କଟକଣା ଲଗାଯିବା ଉଚିତ୍।