୩୦ ହଜାରରୁ ଅଧିକ ୱେବ ଲିଙ୍କ ବ୍ଲକ୍ କରିବାକୁ ସରକାର ଦେଇଛନ୍ତି ନିର୍ଦ୍ଦେଶ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
29/03/2023 at 9:29 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୮ ପରଠାରୁ ୩୦,୩୧୦ ୱେବ ଲିଙ୍କକୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ସୋସିଆଲ ମିଡିଆ ଲିଙ୍କ, ପେଜ୍, ଆକାଉଣ୍ଟ, ଚ୍ୟାନେଲ୍, ଆପ୍, ୱେବ୍ ପେଜ୍, ୱେବସାଇଟ୍ ଆଦି ସାମିଲ ରହିଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ ଆଇଟି ନିୟମ ଅଧିନରେ ଗଠିତ ସମିତି ମୋଟ ୪୧,୧୭୨ ୟୁଆରଏଲ (ୟୁନିଫର୍ମ ରିସୋର୍ସ ଲୋକେଟର)ର ଯାଞ୍ଚ କରିଥିଲେ । ଆଇଟି ଅଧିନିୟମ ୨୦୦୦ର ଧାରା ୬୯ଏ ଅଧିନରେ ବ୍ଲକ୍ କରିବା ପାଇଁ ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଏବଂ ରାଜ୍ୟର ନୋଡଲ ଅଧିକାରୀଙ୍କଠାରୁ ତଥ୍ୟ ମିଳିଥିଲା ।
କେନ୍ଦ୍ରମନ୍ତ୍ରୀ ଏକ ଲିଖିତ ବୟାନରେ କହିଛନ୍ତି, ସରକାର ସୂଚନା ପ୍ରଯୁକ୍ତି ନିୟମ ୨୦୦୯ରେ ଲିଖିତ ପ୍ରକ୍ରିୟାର ପାଳନ କରୁଛନ୍ତି । ୨୦୧୮ରୁ ୨୦୨୩ ମାର୍ଚ୍ଚ ୧୫ ସୁଦ୍ଧା ୩୦,୩୧୦ ୟୁଆରଏଲକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସେ କହିଛନ୍ତି ଯେ ଆଇଟି ଅଧିନିୟମ ୨୦୦୦ର ଧାରା ୬୯Aରେ ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଭାରତର ସୁରକ୍ଷା, ରାଜ୍ୟର ରକ୍ଷା, ବିଦେଶଙ୍କ ସହ ମୈତ୍ରୀପୂର୍ଣ୍ଣ ସମ୍ପର୍କର ସାର୍ବଜାନୀନ ବ୍ୟବସ୍ଥାର ହିତରେ ବାଧା ପହଞ୍ଚାଉଥିବା ସୂଚନା ଅବରୋଧ ପାଇଁ ନିର୍ଦ୍ଦେଶ ଜାରି କରିବାର ଶକ୍ତି ପ୍ରଦାନ କରୁଛି ।