ଓଡ଼ିଶାରେ ଇଜ ଅଫ ଡୁଇଂ ବିଜନେସକୁ ବଢାଇବା ଲାଗି କେନ୍ଦ୍ର ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 24, 2024 IST

ନୂଆଦିଲ୍ଲୀ ୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ‘ଓଡିଶା ପର୍ବ-୨୦୨୪’ରେ ଯୋଗ ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାରେ ବ୍ୟବସାୟକୁ ସହଜ କରିବା ଓ ପ୍ରୋତ୍ସାହନ ଦେବାକୁ ସଂକଳ୍ପବଦ୍ଧ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗ ଦେଇ ମୁଁ ବେଶ୍ ଆନନ୍ଦିତ। 

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜୟଜଗନ୍ନାଥ କହି ତାଙ୍କ ସମ୍ବୋଧନ ଆରମ୍ଭ କରିଥିଲେ। ସେ ଓଡିଶା ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ କବି ଗଙ୍ଗାଧର ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚଳିତବର୍ଷ ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଉତ୍ସବର ଶତବାର୍ଷିକ। ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଗବତର ରଚନାକାର ଜଗନ୍ନାଥ ଦାସଙ୍କୁ ମଧ୍ୟ ନମନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ୱାନଙ୍କ ମାଟି ହୋଇ ରହିଛି। ଓଡିଶା ଦେଶକୁ କେତେ ସକ୍ଷମ ନେତୃତ୍ୱ ଦେଇଛି ତାହା ମଧ୍ୟ ଆମ ସମ୍ମୁଖରେ। ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି। ଏହା ଆମ ସମସ୍ତଙ୍କ ଲାଗି ଗର୍ବର କଥା। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ପୂର୍ବ ଭାରତରେ କନେକ୍ଟିଭିଟି, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଉଛି। କେନ୍ଦ୍ର ସରକାର ୧୦ ବର୍ଷ ପୂର୍ବେ ଓଡିଶାକୁ ଯେତିକି ବଜେଟ ଦେଉଥିଲେ ଏବେ ରାଜ୍ୟକୁ ତା ଠାରୁ ୩ ଗୁଣା ଅଧିକ ବଜେଟ ମିଳୁଛି। ଚଳିତବର୍ଷ ଓଡିଶାର ବିକାଶ ନିମନ୍ତେ ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଆମେ ଓଡ଼ିଶାର ବିକାଶ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ କାମ କରୁଛୁ। ଆମ ସରକାର ଓଡିଶାରେ ଇଜ ଅଫ ଡୁଇଂକୁ ପ୍ରୋତ୍ସାହନ ଦେବାକୁ ସଂକଳ୍ପବଦ୍ଧ। ଓଡିଶାରେ ନୂଆ ସରକାର ହେବାର ୧୦୦ ଦିନ ମଧ୍ୟରେ ୪୫ ହଜାର କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିଛି। ଏଣୁ ଆଜି ଓଡିଶାର ନିଜର ଭିଜନ ବି ଅଛି ଓ ନିଜର ରୋଡମ୍ୟାପ୍ ମଧ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.