ବିଭିଆର ସୁବ୍ରମଣ୍ୟମ ହେଲେ ନୀତି ଆୟୋଗ ସିଇଓ, ପରମେଶ୍ବରନ ଆୟରଙ୍କ ସ୍ଥାନରେ ହେଲେ ନିଯୁକ୍ତ
20/02/2023 at 8:44 PM

ନୂଆଦିଲ୍ଳୀ, ୨୦/୧୨: ବିଭିଆର ସୁବ୍ରମଣ୍ୟମ ହେଲେ ନୀତି ଆୟୋଗ ସିଇଓ। ତାଙ୍କର ନିଯୁକ୍ତି ନେଇ ସୋମବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ସୁବ୍ରମଣ୍ୟମ ପୂର୍ବରୁ ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଭାବରେ କାମ କରିଛନ୍ତି ଏବଂ ଏଠାରେ ପ୍ରଶାସନିକ କ୍ଷେତ୍ରରେ ଗରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି।
ବର୍ତ୍ତମାନ ନୀତି ଆୟୋଗ ସିଇଓ ପଦରେ ଥିବା ପରମେଶ୍ବରନ ଅୟରଙ୍କ ସ୍ଥାନ ନେବେ ବିଭିଆର। ପରମେଶ୍ବରନଙ୍କୁ ତିନି ବର୍ଷ ପାଇଁ ପାଇଁ ବିଶ୍ବ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦେ୍ଦଶକ ଭାବରେ ନିଯୁକ୍ତ କରାଯାଇଛି। ଆୟର ରାଜେଶ ଖୁଲ୍ଲାରଙ୍କ ସ୍ଥାନ ନେବେ। ରାଜେଶ ୧୯୮୮ ବ୍ୟାଚ୍ର ହରିୟାଣା କ୍ୟାଡର ଆଇଏଏସ ଅଫିସର।
କିଏ ବିଭିଆର ସୁବ୍ରମଣ୍ୟମ ?
ଆନ୍ଧ୍ରପ୍ରଦେଶର ଜନ୍ମଗ୍ରହଣରେ କରିଥିବା ସୁବ୍ରମଣ୍ୟମ, ୧୯୮୭ ବ୍ୟାଚ ଛତିଶଗଡ଼ କ୍ୟାଡରର ଆଇଏଏସ ଭାରତୀୟ ପ୍ରଶାସନିକ ସେବାର ଅନେକ ଗରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଆସିଛନ୍ତି। ସେ ଲଣ୍ଡନ ବିଜନେସ ସ୍କୁଲରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଏହା ସହ ଇଞ୍ଜିନିୟରିଂ ମଧ୍ୟ ସେ ଡିଗ୍ରୀ ହାସଲ କରିଛନ୍ତି।
ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ, ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିରେ ମଧ୍ୟ ବିଭିଆର ସୁବ୍ରମଣ୍ୟମଙ୍କ ଭୂମିକା ରହିଥିଲା। ଗତ ବର୍ଷ ସେପ୍ଟେମ୍ବର ୩୦ ଦୁଇ ବର୍ଷ ପାଇଁ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ (ଆଇଟିପିଓ) ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା।
ଏହି ୫୬ ବର୍ଷୀୟ ଆଇଏଏସ ଅଧିକାରୀ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବ୍ୟକ୍ତିଗତ ସଚିବ ଭାବରେ କାମ କରିଥିଲେ। ଓ୍ବାର୍ଲ୍ଡ ବ୍ୟାଙ୍କ ସହ କାମ କରିବା ପରେ ୨୦୧୨ ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ୨୦୧୫ ରେ ଛତିଶଗଡ଼ରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୮ ରେ ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ବାଣିଜ୍ୟ ମନ୍ତ୍ରାଳୟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ।