ସେଣ୍ଟ୍ରାଲ ସ୍କୁଲ ଛାତ୍ର ମୃତ୍ୟୁ ଘଟଣାର ଖୁଲାସା, ଶାଢୀ କାନିରେ ପୁଅର ତଣ୍ଟି ଚିପି ମାରିଥିଲା ମାଆ

Published By : Prameya-News7 Bureau | July 07, 2024 IST

ଦେବଗଡ଼:  ଗତ ସୋମବାର  ଜୁଲାଇ ୧ ତାରିଖ  ଦେବଗଡ ସହର ଚର୍ଚ୍ଚ ସାହି ଅଞ୍ଚଳରେ ହୋଇଥିବା  ନାବାଳକ ସ୍କୁଲ ଛାତ୍ର ମିକୁ ସୁନେଲଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ସତ୍ୟ ଉନ୍ମୋଚିତ ହୋଇଛି। ମାଆର ପରକୀୟା ପ୍ରୀତି ସମ୍ପର୍କରେ ଜାଣିଥିବା ଯୋଗୁଁ ଖୋଦ୍ ଜନ୍ମ କଲା ମାଆ ତାକୁ ଶାଢୀ କାନିରେ ତଣ୍ଟି ଚିପି ମାରିଥିବା ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। 

ପୋଲିସ ସୂଚନା ଅନୁଯାୟୀ ମୃତ ଛାତ୍ରଙ୍କ ମାଆ ଲିଲି ସୁନେଲଙ୍କର ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମର ରଞ୍ଜନ କୁମାର ନାଏକ ସହ ଅନୈତିକ ସମ୍ପର୍କ ରହିଥିଲା। ସେମାନଙ୍କ ମଧ୍ୟରେ ଅନେକ ସମୟରେ ଖରାପ  ସମ୍ପର୍କ ରହିଥିବା ବେଳେ ପୁଅ ମିକୁ ଏହା ଦେଖି ନେଇଥିଲା। ଘଟଣା ଦିନ ମାଆ ଓ ପୁଅ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ ମୃତ ମିକୁ ରଞ୍ଜନ ସହ ଖରାପ ସମ୍ପର୍କ କଥା କହିଥିଲା। ଏଥିରେ ରାଗି ଯାଇ ଲିଲି ପିଟାମରା କରିବା ସହ ଏକ ଶାଢୀରେ ତାର ତଣ୍ଟିକୁ ଗୁଡାଇ ଚିପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅ ମିକୁର ମୃତ୍ୟୁ ଘଟିଥିଲା । ପରେ ତାକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Also read: ୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା, ଆହୁରି ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା !

ମୃତ ଛାତ୍ର ମିକୁ ସୁନେଲର ବାପା କୁଳମଣୀ ସୁନେଲ ଏ ସମ୍ପର୍କରେ ଖବର ପାଇ ନିଜ କାର୍ଯ୍ୟସ୍ଥଳୀ ଚେନ୍ନାଇରୁ ଫେରିବା ପରେ ମୃତ ଦେହର ବେକ ଓ ବିଭିନ୍ନ ସ୍ଥାନରେ  ଚିହ୍ନ ଦେଖିବା ପରେ ଦେବଗଡ ଆଦର୍ଶ ଥାନାରେ ପୁଅକୁ ହତ୍ୟା କରାଯାଇଥିବା  ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତ ଛାତ୍ରର ମାଆ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ। ଘଟଣାରେ ବ୍ୟବଛେଦ ରିପୋର୍ଟରେ ଶ୍ବାସ ୠଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ, ଏହି ଘଟଣାରେ ମାଆ ର ଭୁମିକା ରହିଥିବା ସ୍ପଷ୍ଟ ହୋଇଥିଲା  । 

ଏହି ଘଟଣାରେ ଦେବଗଡ ଆଦର୍ଶ ଥାନା ପୋଲିସ   ମୃତ ଛାତ୍ର ମିକୁଙ୍କ ବାପା କୁଳମଣୀ ସୁନେଲଙ୍କ  ଲିଖିତ ଅଭିଯୋଗ ଆଧାରରେ  ଦଫା 103/3(5) ବିଏନଏସ ଅନୁଯାୟୀ   ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାଆ ଲିଲି ସୁନେଲ କୁ କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସମସ୍ତ ସୂଚନା ଦିଆଯାଇଛି । ଯେଉଁ ମାଆ ନିଜ ପଣତ କାନିରେ ଛୁଆକୁ ଘୋଡାଇ ରଖିଥାଏ ସେ ଅତି ନୃସଂଶ ହୋଇ ସେହି ପଣତ କାନୀ ରେ ଛୁଆକୁ ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.