କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କ ଉପରକୁ ମୋବିଲ ଫିଙ୍ଗିଲେ ଲୋକେ, କଳା ପତାକା ଦେଖାଇ କଲେ ବିରୋଧ

Published By : Prameya-News7 Bureau | August 23, 2021 IST

ହାଜୀପୁର ୨୩/୦୮: କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସଙ୍କୁ ହାଜୀପୁରରେ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି। ମୋଦୀ ସରକାରରେ ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ସେଠାକୁ ଯାଇଥିଲେ। ପଶୁପତି ପାରସ ହାଜୀପୁରରେ ପହଞ୍ଚିବା ପରେ ସେଠାକାର ଜନତାଙ୍କୁ ଅଭିବାଦନ ଜଣାଇଥିଲେ। ତାଙ୍କର କାରକେଡ୍‌ ଆଗକୁ ବଢ଼ି ଚାଲିଥିବା ବେଳେ ଚୌରାସିଆ ଛକ ନିକଟରେ ମନ୍ତ୍ରୀଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ କାରକେଡ୍‌ ଉପରେ ମୋବିଲ ଫୋପାଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

ପରେ ସେଠାରେ ହୋ ହଲ୍ଲା ହୋଇଥିଲା। ବନ୍ୟା ବିପତ୍ତି ସମୟରେ ସାଂସଦ ଦେଖାଦେଇ ନଥିବାରୁ ଲୋକେ ରାଗରେ ଅଛନ୍ତି ବୋଲି କୁହାଯାଉଛି ।  ପରେ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା ପୋଲିସ ପ୍ରଶାସନ ।  ଭିଡ଼ ନିୟମନ୍ତ୍ରଣ କରିବାକୁ ଯାଇ ପାରସଙ୍କ ସୁରକ୍ଷା କର୍ମୀ ବିଧା ଗୋଇଠା ମାରିଥିଲେ। ଏଥିରେ ଜଣେ ମହିଳା ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ । ଏହାକୁ ନେଇ ପୋଲିସ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡ଼ିଛି।  

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପଶୁପତି ପାରସ ହାଜୀପୁର ସଂସଦୀୟ କ୍ଷେତ୍ର ଯାଇଥିଲେ। ଏହି ସମୟରେ ଏଲଜେପି ପକ୍ଷରୁ ଭବ୍ୟ ସ୍ବାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନ୍ୟ ପଟେ ଶହ ଶହ ପ୍ରଦର୍ଶନକାରୀ ତାଙ୍କୁ ବିରୋଧ କରିବା ସହ ଚୌରାସିଆ ଛକ ନିକଟରେ ତାଙ୍କ କାରକେଡ୍‌ ଉପରକୁ ମୋବିଲ ଫିଙ୍ଗିଥିଲେ ।  ପାରସଙ୍କ ବିରୋଧରେ ଜୋରଦାର ନାରାବାଜି ସହ କଳା ପତାକା ଦେଖାଇଥିଲେ ଅସନ୍ତୁଷ୍ଟ ଜନତା।  ପଶୁପତି ପାରସ ବସିଥିବା  କଳା ରଙ୍ଗର କାରରେ ମୋବିଲ ଛିଟା ପଡ଼ିଥିବା  ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.