କେନ୍ଦ୍ର ମନ୍ତ୍ରୀଙ୍କୁ ଜଣା ନାହିଁ, ନବୀନ କେତେ ଟର୍ମର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ୱର ୨୨।୧୦ - ଓଡ଼ିଶା ଗସ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେ | ତାଙ୍କ ମନ୍ତ୍ରାଳୟ ଅନ୍ତର୍ଗତ କାର୍ଯ୍ୟକ୍ରମ ଓଡ଼ିଶାରେ କିଭଳି ହେଉଛି ଏ ନେଇ ସମୀକ୍ଷା କରିଛନ୍ତି | ଏହା ପରେ ସେ ରାଜ୍ୟ ଅତିଥି ଭବନରେ ଏକ ପ୍ରେସମିଟ କରି ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଲା, ଆଟ୍ରୋସିଟି କେସ୍ ସଂପର୍କରେ ବିଭିନ୍ନ ପରିସଂଖ୍ୟନ ଥୋଇଛନ୍ତି | ଇଣ୍ଟର କାଷ୍ଟ ବିବାହ କଲେ ସରକାରୀ ଚାକିରିର ସୁବିଧା ମିଳିବା ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି |

ଏହା ସହ ଇଣ୍ଟର ରିଲିଜିଅନ ବିବାହର ପ୍ରୋହାତ୍ସନ ଲାଗି ସରକାରୀ ଯୋଜନାର ଆବଶ୍ୟକତା ଥିବା ସେ କହିଛନ୍ତି | ଓଡ଼ିଶା ପ୍ରସଙ୍ଗରେ ସେ କହିଛନ୍ତି, ମୋଦି ସରକାର ଗରିବ ସବର୍ଣ୍ଣଙ୍କ ଲାଗି ଆଣିଥିବା ୧୦% ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବା ଦରକାର | ତେବେ ପଛୁଆ ବର୍ଗର ବିକାଶ ଦିଗରେ ଓଡ଼ିଶା ଭଲ କାମ କରୁଥିବା କେନ୍ଦ୍ର ମନ୍ତ୍ରୀ ସାର୍ଟିଫିକେଟ ଦେଇଛନ୍ତି | ଏପିରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି | ନବୀନ ଖୁବ୍ ଭଲ ମଣିଷ, ଭଲ କାମ କରୁଛନ୍ତି | ତେବେ ମେଣ୍ଟ ଭାଙ୍ଗି ଥିବାରୁ ବିଜେପି ନେତା ରାଜନୀତି ଯୋଗୁଁ ତାଙ୍କ ବିରୋଧରେ କହିବାକୁ ବାଧ୍ୟ ହେଉଛନ୍ତି |

ନବୀନ ଭଲ କାମ କରୁଥିବାରୁ ଲୋକେ ତାଙ୍କୁ ୨/୩ ଥର ଜିତାଇଲେଣି ବୋଲି କହିଥିଲେ | ତେବେ ଏହା ୨/୩ ନୁହେଁ ବରଂ ୫ ଓ ଆପଣ କିଭଳି ଏହା ଜାଣି ନାହାନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ, ସେ ହସି ହସି କହିଥିଲେ, ମୋତେ ଜଣା ନ ଥିଲା | ଅନ୍ୟପକ୍ଷରେ, ଯାଜପୁରର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ୱାମୀ ଜାତିଗତ ଆକ୍ଷେପ କରିବା ନେଇ ଅଭିଯୋଗ ହୋଇଥିବା ସେ କହିଛନ୍ତି | ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.