ଆଜି ଓଡିଶା ଆସୁଛନ୍ତି ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୋଦିଙ୍କ ଦ୍ବିତୀୟ ଇନିଂସରେ ପାଇଛନ୍ତି ମନ୍ତ୍ରୀ ପଦ
8/06/2019 at 8:45 AM

ଭୁବନେଶ୍ବର ୮|୬: ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ସରକାର ଗଠନ କରିବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇଥିବା ଏହି ଦୁଇଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀପଦ ପାଇବା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲଘୁ-ମଧ୍ୟମ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ରାଜ୍ୟ ବିଜେପି ତରଫରୁ ହୋଇଛି ଭବ୍ୟ ଆୟୋଜନ । ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଥମେ ବିମାନ ବନ୍ଦରରେ ପହଂଚିବା ପରେ ଦଳ ତରଫରୁ ତାଙ୍କୁ ବିଶାଳ ପଟ୍ଟୁଆରରେ ସ୍ୱାଗତ କରାଯିବ । ଏହାପରେ ଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଅଭିମୁଖେ ବାହାରିବେ ଧର୍ମେନ୍ଦ୍ର ଓ ପ୍ରତାପ । ଅପରାହ୍ନରେ ଭୁବନେଶ୍ୱର ପ୍ରର୍ଦଶନୀ ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।