କରୋନା ଭାଇରସକୁ ନେଇ ଟ୍ରାଭେଲ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର, ଏହି ଦେଶକୁ ଯାତ୍ରା ନକରିବାକୁ ଦେଲେ ପରାମର୍ଶ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୦୨। ମାର୍ଚ୍ଚ- କରୋନା ଭୂତାଣୁର ଦୁଇଟି ନୂତନ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବିଦେଶ ଯାତ୍ରାକୁ ନେଇ ନୂତନ ପରାମର୍ଶ(ଟ୍ରାଭେଲ୍ ଆଡଭାଇଜରି) ଜାରି କରିଛି। ଏହାରି ଆଧାରରେ ଚୀନ ଓ ଇରାନ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଭିସା ସଂପ୍ରତି ଜାରି କରାଯାଇ ନାହିଁ। ଯଦି ଅବସ୍ଥା ଆହୁରି ଗୁରୁତର ହୁଏ ତେବେ ଅନ୍ୟ ଦେଶ ପାଇଁ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସୂଚନା ଦେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଧନ ସୋମବାର ଏହା କହିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟଙ୍କୁ ପରାମର୍ଶ ଦେଇଛି ଯେ, ଯଦି ଜରୁରୀ ନୁହଁ ତେବେ ଚୀନ, ଇରାନ, କୋରିଆ, ସିଙ୍ଗାପୁର ଓ ଇଟାଲୀ ଯାତ୍ରା କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଭାରତୀୟଙ୍କୁ ଚୀନ, ଇରାନ, କୋରିଆ, ସିଙ୍ଗାପୁର ଓ ଇଟାଲୀ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ, ଭାରତରେ କରୋନା ଭୂତାଣୁ ସଂକ୍ରମଣର ଦୁଇଟି ନୂତନ ମାମଲା ସାମ୍ନାକୁ ଆସିଛି। ମନ୍ତ୍ରଣାଳୟ ଅନୁଯାୟୀ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତ ତେଲେଙ୍ଗାନା ରାଜ୍ୟର।

{"id":231779,"sizeSlug":"large"}

ମନ୍ତ୍ରଣାଳୟ ଅନୁଯାୟୀ, ଦିଲ୍ଲୀର ଯେଉଁ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ସେ ନିକଟରେ ଇଟାଲୀ ଯାତ୍ରା କରିଥିଲେ। ତାଙ୍କର ମନୋହର ଲୋହିଆ ହସ୍ପିଟାଲରେ ଜାରି ରହିଛି। ଦ୍ଵିତୀୟ ସଂକ୍ରମିତ ବ୍ୟକ୍ତି ଦୁବାଇ ଯାତ୍ରା କରିଥିଲେ। ଉଭୟ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସ୍ଵାସ୍ଥ୍ୟ ବିଭାଗ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ଉଲ୍ଲେଖନୀୟ ଇଟାଲୀରେ ସଂପ୍ରତି କରୋନା ଭାଇରସରେ ସଂକ୍ରମଣକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ହର୍ଷବର୍ଦ୍ଧନ କହିଛନ୍ତି ସମଗ୍ର ଦେଶରେ ୨୫,୭୩୮ ଜଣଙ୍କ ଉପରେ ବିଶେଷ ନଜର ରଖାଯାଇଛି। ପୂରା ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ହେବାର ଲକ୍ଷଣ ମିଳିବା ପରେ ୩୭ ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।

ହର୍ଷବର୍ଦ୍ଧନ କହିଛନ୍ତି, ଭାରତ ସରକାର ଇରାନ ଓ ଇରାଲୀର ସରକାରଙ୍କ ସହିତ ଭାରତୀୟଙ୍କୁ ସେଠାରୁ ସ୍ଵଦେଶ ଫେରାଇ ଆଣିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଅଦ୍ୟାବଧି ସମଗ୍ର ଦେଶରେ ୩,୨୧୭ ନମୂନାର ଯାଞ୍ଚ କରାଯାଇଛି, ଯେଉଁଥିରେ ପାଞ୍ଚ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣା ପଡିଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.