ଦେଶରେ ବଢିପାରେ ଲକ୍ଡାଉନ୍, ରାଜ୍ୟ ସରକାରଙ୍କ ରାୟ ଉପରେ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ
7/04/2020 at 3:05 PM

ନୂଆଦିଲ୍ଲୀ ୦୭।୦୪: ଦେଶରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଘୋଷିତ ୨୧ ଦିନିଆ ଲକ୍ଡାଉନ୍ ନେଇ ଜୋରଦାର ସସପେନ୍ସ ଜାରି ରହିଛି। କଣ ଏହି ଲକ୍ଡାଉନ୍ ଅବଧି ଆହୁରି ବଢିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ଖବର ଆସିଛି ଯେ, କରୋନା ଭାଇରସ୍ କାରଣରୁ ଦେଶରେ ଜାରି ୨୧ ଦିନିଆ ଲକ୍ଡାଉନ୍ ବଢାଯାଇପାରେ। ସରକାରଙ୍କ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ଅନେକ ରାଜ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।
ଜୈନକ ଅଧିକାରୀ କହିଛନ୍ତି ଯେ, ଅନେକ ରାଜ୍ୟ ସରକାର ଓ ବିଶେଷଜ୍ଞ କେନ୍ଦ୍ର ସରକାରଙ୍କୁ ଦେଶରେ ଜାରି ଲକ୍ଡାଉନ୍କୁ ବଢାଇବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ଓ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ବିଚାର ବିମର୍ଶ ଚଳାଇଛନ୍ତି।

ଦେଶରେ କୋଭିଡ୍-୧୯ର ବଢୁଥିବା ସଂଖ୍ୟାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ରେ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ଲକ୍ଡାଉନ୍ର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। କିଛି ଦିନ ପୂର୍ବେ ଏମିତି ଚର୍ଚ୍ଚା ଚାଲିଥିଲା ଯେ, କେନ୍ଦ୍ର ସରକାର ସେହି ଇଲାକାକୁ ଲକ୍ଡାଉନ୍ ହଟାଇ ପାରନ୍ତି ଯେଉଁଠି କରୋନା ହଟ୍ ସ୍ପଟ୍ ନାହିଁ। ଏହା ମଧ୍ୟରେ ଖବର ଆସିଥିଲା ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍କୁ ଜୁନ ୩ ପର୍ଯ୍ୟନ୍ତ ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ମାତ୍ର ପରେ ତେଲେଙ୍ଗାନା ସରକାର ଏହାକୁ ଖଣ୍ଡନ କରିଥିଲେ। ସରକାର କହିଥିଲେ ଯେ, ଲକ୍ଡାଉନ୍ ଅବଧିକୁ ୨ ସପ୍ତାହ ବଢାଇବାକୁ ଆମେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛୁ।