ଇନକମ୍ ଟ୍ୟାକ୍ସ ସ୍ଲାବ୍ରେ ହୋଇପାରେ ବଡ଼ ପରିବର୍ତ୍ତନ, ରିହାତି ନେଇ ଟିକସଦାତାଙ୍କୁ ମିଳିପାରେ ଭଲ ଖବର
17/01/2023 at 7:56 PM

ନୂଆଦିଲ୍ଳୀ, ୧୭/୦୧: କରଦାତାଙ୍କ ପାଇଁ ଆଶ୍ବସ୍ତି। ଟ୍ୟାକ୍ସ ସ୍ଲାବରେ ହୋଇପାରେ ପରିବର୍ତ୍ତନ। ସାଧାରଣ ଲୋକଙ୍କୁ ହେବ ଫାଇଦା। ୨୦୨୩ ସାଧାରଣ ବଜେଟ୍ରେ ଟ୍ୟାକ୍ସପେୟର୍ସଙ୍କୁ ଆଶ୍ବସ୍ତି ଦେଇପାରନ୍ତି ସରକାର। ଏକ ରିପୋର୍ଟ ଅନୁଯାୟୀ, ସରକାର ଚଳିତ ୨୦୨୩-୨୪ ସାଧାରଣ ବଜେଟ୍ରେ ଇନକମ୍ ଟ୍ୟାକ୍ସ ସ୍ଲାବ୍ରେ ପରିବର୍ତ୍ତନ କରିପାରନ୍ତି। ଅବଶ୍ୟ ଅର୍ଥ ମନ୍ତ୍ରାଳୟ ତରଫରୁ ଏନେଇ କିଛି କୁହାଯାଇନାହିଁ। ରିପୋର୍ଟରେ କୁହାଯାଇଛି ଚଳିତ ଥର ଆୟକର ଛାଡ଼ ସୀମା ୨.୫ ଲକ୍ଷରୁ ବଢ଼ି ୫ ଲକ୍ଷ କରାଯାଇପାରେ।
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ୨୦୨୩ ରେ ବଜେଟ୍ ଉପସ୍ଥାପନ କରିବେ। ଯଦି ଆୟକର ସ୍ଲାବ୍ରେ ପରିବର୍ତ୍ତନ କରାଯାଉଛି ତେବେ ଏହାର ସବୁଠୁ ଅଧିକ ଲାଭ ଚାକିରିଆ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ହେବ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ୬୦-୮୦ ବର୍ଷର ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟ୍ୟାକ୍ସ ଛାଡ଼ ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ ଏଥର ୨.୫ ଲକ୍ଷ ସୀମାକୁ ୫ ଲକ୍ଷ କରାଯାଇପାରେ। ଏପରି ହେଲେ ବାର୍ଷିକ ଆୟ ୫ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ସୂଚନାଥାଉ, ଗତ ୯ ବର୍ଷରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଶେଷ ଥର ୨୦୧୪ ରେ ସରକାର ଆୟକର ଛାଡ଼ ସୀମା ବଢ଼ାଇଥିଲେ।