ପିଆଜର ଦର ବୃଦ୍ଧି ଦେଖି ଆକ୍ସନ ମୋଡରେ ସରକାର, ଲାଗୁ କଲେ ଏହି ନିୟମ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ବଜାରରେ ପିଆଜ ଦର ଆକାଶ ଛୁଆଁ ରହିଛି। ପିଆଜ କିଲୋ ପିଛା ୫୦ ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହାକୁ ନେଇ ସମାଲୋଚନାର ଶିକାର ହେଉଥିବା କେନ୍ଦ୍ର ସରକାର ଆକ୍ସନ ମୋଡ୍‌କୁ ଆସିଛନ୍ତି। ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି, ଯାହା ଜରିଆରେ ଜମାଖୋରୀ ଓ କଳାବଜାରୀ ଉପରେ ରୋକ୍ ଲଗାଯାଇ ପାରିବ। ଉପଭୋକ୍ତା ବିଭାଗୀୟ ସଚିବ ଲୀନା ନନ୍ଦନଙ୍କ ଅନୁଯାୟୀ କେନ୍ଦ୍ର ସରକାର ଷ୍ଟକ ଲିମିଟ୍‌ ବା ମହଜୁଦ ସୀମା ଲାଗୁ କରିଛନ୍ତି। ଏହି ଷ୍ଟୋକ୍ ଲିମିଟ୍ ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ ରହିବ।

ଲୀନା ନନ୍ଦନ କହିଛନ୍ତି, ଖୁଚୁରା ବ୍ୟବସାୟୀ ୨ ଟନ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖି ପାରିବେ। ଅନ୍ୟପଟେ ପାଇକାରୀ ବେପାରୀ ୨୫ ଟନ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖି ପାରିବେ। କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଟ୍ଵିଟ୍ କରି ପିଆଜର ରପ୍ତାନୀ ଉପରେ କଟକଣା ଲଗାଯାଇଥିବା ସୂଚନା ଦେଇଛନ୍ତି। ଏପରିକି ଆମଦାନୀ ନିୟମରେ ମଧ୍ୟ କିଛିଟା କୋହଳ କରାଯାଇଛି, ଯଦ୍ଵାରା ଅଧିକ ମାତ୍ରାରେ ପିଆଜ ବିଦେଶରୁ ଆସି ପାରିବ।

କେରଳ, ଆସାମ ଓ ତାମିଲନାଡୁ ପରି ରାଜ୍ୟଗୁଡିକୁ ବଫର ଷ୍ଟୋକ୍‌ରେ ପିଆଜ ଦିଆଯିବ। ଅନ୍ୟ ରାଜ୍ୟକୁ ମଧ୍ୟ ବଫର ଷ୍ଟୋକ୍‌ରେ ପିଆଜ ଦେବାକୁ ଅଫର ଦିଆଯିବ। ଲୀନା ନନ୍ଦନ କହିଛନ୍ତି, ପ୍ରଥମ ଥର ଆମେ ୧ ଲକ୍ଷ ମେଟ୍ରିକ ଟନ୍ ପିଆଜର ବଫର ଷ୍ଟକ୍ କରିଛୁ। ଏହା ପିଆଜ ଦର ବୃଦ୍ଧି ନିୟନ୍ତ୍ରଣ କରି ପାରିବ  ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.