ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ବଢାଇଲେ ଉତ୍ପାଦ ଶୁଳ୍କ, ସାଧାରଣ ଲୋକଙ୍କ ଉପରେ ପଡିବନି ପ୍ରଭାବ

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୬।୫ : ଦେଶବ୍ୟାପୀ ବଳବତ୍ତର ଥିବା ଲକ୍ ଡାଉନ୍ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି । ତଥାପି ଏହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିବ ନାହିଁ  । ଇନ୍ଧନ ପମ୍ପରେ ଖୁଚୁରା ମୂଲ୍ୟ ସମାନ ରହିବ । ପେଟ୍ରୋଲ ଏବଂ ଡିଜେଲ ଉପରେ ବର୍ଦ୍ଧିତ ଶୁଳ୍କ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହନ କରିବେ । ମଙ୍ଗଳବାର ମଧ୍ୟରାତ୍ରିରୁ ଏକ୍ସାଇଜ୍ ଡ୍ୟୁଟିର ନୂତନ ହାର ଲାଗୁ ହୋଇଯାଇଛି ।

ଏହାପୂର୍ବରୁ ଦିଲ୍ଲୀ ଏବଂ ପରେ ପଞ୍ଜାବ ସରକାର ମଙ୍ଗଳବାର ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି । ରାଜସ୍ବ ବୃଦ୍ଧି ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଭାଟ୍ ବୃଦ୍ଧି କରିପାରନ୍ତି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧.୬୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭.୧୦ ଟଙ୍କା ମହଙ୍ଗା ହୋଇଛି । ବର୍ତ୍ତମାନ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ୬୯.୫୯ରୁ ୭୧.୧୦ ଟଙ୍କା ଲିଟର ପିଛା ହୋଇଛି । ସେହିଭଳି ଡିଜେଲର ମୂଲ୍ୟ ୬୨.୨୬ରୁ ୬୯.୩୯ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଉପରେ ଭାଟ୍ ବଢି ୧୬.୪୪ ଟଙ୍କା ପ୍ରତି ଲିଟର ହୋଇଛି । ସେହିପରି ଡିଜେଲ ଉପରେ ଭାଟ୍ ୧୬.୨୬ ଟଙ୍କା ପ୍ରତି ଲିଟର ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଉପରେ ୨୭ ପ୍ରତିଶତ ବଦଳରେ ୩୦ ପ୍ରତିଶତ ଏବଂ ଡିଜେଲ ଉପରେ ୧୬.୭୫ ପ୍ରତିଶତ ବଦଳରେ ୩୦ ପ୍ରତିଶତ ଭ୍ୟାଟ୍ ଆଦାୟ କରାଯାଉଛି ।

କରୋନା ସଂକ୍ରମଣ ହେତୁ ଅଶୋଧିତ ତୈଳ ମୂଲ୍ୟ ବର୍ତ୍ତମାନ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ସମୟ ଧରି ପରିବର୍ତ୍ତନ ହୋଇନାହିଁ । ରାଜଧାନୀ ଦିଲ୍ଲୀରେ ୫୦ଦିନ ପରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢିଥାଏ । ଏହି ପରିବର୍ତ୍ତନ ବୈଦେଶିକ ମୁଦ୍ରା ମୂଲ୍ୟ ଏବଂ ଅଶୋଧିତ ତୈଳ ମୂଲ୍ୟ ଉପରେ ଆଧାରିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.