ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର, ଆପତ୍ତି ଉପରେ ଶୁଣାଣି କରିବାକୁ ରାଜି ସୁପ୍ରିମ୍‌କୋର୍ଟ

Published By : Prameya-News7 Bureau | April 17, 2023 IST

ନୂଆଦିଲ୍ଳୀ, ୧୭/୦୪: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି ଉପରେ ବଢ଼ିବାରେ ଲାଗିଛି ବିବାଦ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସୋମବାର ଏକ ନୂତନ ଯାଚିକା ଦାୟର କରିଛନ୍ତି। ଯେଉଁଥିରେ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ନେଇ ହୋଇଥିବା ଆବେଦନ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟ, କେନ୍ଦ୍ରର ଆପତ୍ତିପୂର୍ଣ୍ଣ ଏହି ଯାଚିକା ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ସୂଚନାଥାଉ, ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ପୂର୍ବରୁ ଅନେକ ଯାଚିକା ହୋଇଛି। ଯାହା ଉପରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏପ୍ରିଲ୍‌ ୧୮ରେ ଶୁଣାଣି କରିବେ।

ସୋମବାର କେନ୍ଦ୍ର ସରକାର ଦାୟର କରିଥିବା ଯାଚିକାରେ କହିଛନ୍ତି, ‘ବିବାହ ଏକ ସାମାଜିକ ବ୍ୟବସ୍ଥା, ଏଥିରେ ନୂଆ ଅଧିକାର ଯୋଡ଼ିବା କିମ୍ବା କୌଣସି ସଂପର୍କକୁ ମାନ୍ୟତା ଦେବାର ଅଧିକାର କେବଳ ବ୍ୟବସ୍ଥାପିକାଙ୍କ ପାଖରେ ରହିଛି, ଏହା ନ୍ୟାୟପାଳିକାଙ୍କ କାମ ନୁହେଁ।’ କେନ୍ଦ୍ର ଆବେଦନରେ ଏହା ମଧ୍ୟ କହିଛନ୍ତି ଯେ, ‘ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ହୋଇଥିବା ଯାଚିକା ସମଗ୍ର ଦେଶର ଭାବନାକୁ ପ୍ରକାଶ କରୁନାହିଁ। ଏହା ସହରୀ ଆଭିଜାତ ବର୍ଗଙ୍କ ବିଚାରକୁ ଦର୍ଶାଉଛି। ଏହା ଦେଶର ବିଭିନ୍ନ ବର୍ଗ ଏବଂ ସମଗ୍ର ଦେଶର ନାଗରିକଙ୍କ ମତ ବୋଲି କୁହାଯିବ ନାହିଁ।’

ଆବେଦନରେ ସରକାର କହିଛନ୍ତି ଯେ ‘ସୁପ୍ରିମକୋର୍ଟ ବିଚାର କରନ୍ତୁ ଯେ ଯାଚିକାଗୁଡ଼ିକ ବିଚାରଯୋଗ୍ୟ କି ନୁହେଁ। ଆଇନ୍‌ କେବଳ ବ୍ୟବସ୍ଥାପିକା ଦ୍ବାରା ତିଆରି କରାଯାଇପାରେ। ନ୍ୟାୟପାଳିକା ଦ୍ବାରା ନୁହେଁ। ଯାଚିକାକର୍ତ୍ତାମାନେ ଏକ ନୂଆ ବିବାହ ବ୍ୟବସ୍ଥା ତିଆରି କରିବାକୁ ଦାବି କରିଛନ୍ତି, ଯାହା ବର୍ତ୍ତମାନର ଧାରଣାଠାରୁ ଭିନ୍ନ। ବିବାହ ବ୍ୟବସ୍ଥାକୁ କେବଳ ବ୍ୟବସ୍ଥାପିକା ଦ୍ବାରା ମାନ୍ୟତା ଦିଆଯାଇପାରିବ।’

ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ଦାବିକୁ ନେଇ ସୁପ୍ରିମକୋର୍ଟରେ ୧୫ଟି ଯାଚିକା ଦାୟର ହୋଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି.ଏସ ନରସିମ୍‌ହା, ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ଏସ ନରସିମ୍‌ହାଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏପ୍ରିଲ୍‌ ୧୮ରେ ଶୁଣାଣି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.