ଡାଲି କଳାବଜାରୀ ଉପରେ ଲଗାମ ଲଗାଇବାକୁ ବଡ଼ ନିଷ୍ପତ୍ତି, ଷ୍ଟକ୍ ଲିମିଟ୍ ଅବଧି ବୃଦ୍ଧି କଲେ ସରକାର
25/09/2023 at 11:10 PM

ନୂଆଦିଲ୍ଲୀ: ଡାଲି କଳାବଜାରୀ ଉପରେ ଲଗାମ ଲଗାଇବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଷ୍ଟକ୍ ଲିମିଟ୍ ଅବଧି ବୃଦ୍ଧି କଲେ ସରକାର। ଡାଲିର ବଢ଼ୁଥିବା ଦାମ୍ର ନିୟନ୍ତ୍ରଣ କରିବା ଦିଗରେ କେନ୍ଦ୍ର ସରକାର ହରଡ଼ ଏବଂ ବିରି ଡାଲିର ଷ୍ଟକ୍ ଲିମିଟ୍ ଅବଧିକୁ ଅକ୍ଟୋବର ୩୦ରୁ ବଢ଼ାଇ ଡିସେମ୍ବର ୩୧ ପର୍ଯ୍ୟନ୍ତ କରିଛନ୍ତି। ସରକାର ଷ୍ଟକ ହୋଲ୍ଡିଂ ୟୁନିଟ୍କୁ ମଧ୍ୟ ଷ୍ଟକ୍ ସୀମାକୁ କମ୍ କରିବା ପାଇଁ ଘୋଷଣା କରିଛନ୍ତି।
ସରକାରଙ୍କ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ହୋଲସେଲର ଏବଂ ବଡ଼ ରିଟେଲରଙ୍କ ପାଇଁ ଷ୍ଟକ୍ ସୀମାକୁ ୨୦୦ ମେଟ୍ରିକ୍ ଟନ୍ରୁ କମାଇ ୫୦ ମେଟ୍ରିକ୍ ଟନ୍ କରିବାକୁ ଘୋଷଣା କରାଯାଇଛି। ସେହିଭଳି ମିଲ୍ମାନଙ୍କୁ ଷ୍ଟକ୍ ସୀମାକୁ ବର୍ତ୍ତମାନର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫ ପ୍ରତିଶତ ବଦଳରେ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନା ୧୦ ପ୍ରତିଶତ କରାଯାଇଛି।
ଆହୁରି ପଢ଼ନ୍ତୁ: ଦେଶରେ ସ୍ୱାଭାବିକ ଠାରୁ କମିଛି ବର୍ଷା, ବର୍ଷକରେ ଡାଲି ୩୭% ମହଙ୍ଗା
ସରକାର ଷ୍ଟକ୍ ଲିମିଟ୍କୁ ହ୍ରାସ କରିବା ଏବଂ ଅବଧିକୁ ବଢ଼ାଇବାର ନିଷ୍ପତ୍ତି କଳାବଜାରୀକୁ ରୋକିବା ଏବଂ ହରଡ଼ ଏବଂ ବିରି ଡାଲି ବଜାରରେ ଉଚିତ୍ ମୂଲ୍ୟରେ ଉପଭୋକ୍ତାଙ୍କ ପାଇଁ ଡାଲି ଉପଲବ୍ଧ ବଢ଼ାଇବା ଉଦ୍ଦେଶ୍ୟରେ ନେଇଛନ୍ତି।
ଏହା ପୂର୍ବରୁ ୨୦୨୩ ଜାନୁଆରୀ ୨ରେ ପ୍ରଥମେ ହରଡ଼ ଡାଲି ଏବଂ ବିରି ଡାଲିର ଜମାଖୋରୀ, ଦାମ୍ ଉରେ ଗୁଜବ ରୋକିବା ପାଇଁ ଏବଂ ଉପଭୋକ୍ତାଙ୍କ ପାଇଁ ଉଚିତ୍ ମୂଲ୍ୟରେ ଡାଲି ଉପଲବ୍ଧ କରାଇବା ପାଇଁ ଷ୍ଟକ୍ ଲିମିଟ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇତିଲା। ଖାଉଟି ବିଭାଗ ପୋର୍ଟାଲ ମାଧ୍ୟରେ ଷ୍ଟକ୍ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।