ଦେଶରେ ସମାପ୍ତ ହେବ ଡାକ୍ତରଙ୍କ ବଣ୍ଡ ପଲିସି, ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ ୬।୧୧:ଦେଶର ଯୁବ ଡାକ୍ତରଙ୍କୁ କେନ୍ଦ୍ର ସରକାର ଖୁବ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଡାକ୍ତରଙ୍କ ଲାଗି କରାଯାଉଥିବା ସର୍ଭିସ ବଣ୍ଡ ସମାପ୍ତ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାସନାଲ ମେଡିକାଲ କମିଶନଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ଏହି ନୀତି ସମାପ୍ତ ହେଲେ ଡାକ୍ତରୀ ପଢା ପରେ ଯୁବ ଡାକ୍ତରମାନଙ୍କୁ ସେହି ରାଜ୍ୟର ହସ୍ପିଟାଲ ମାନଙ୍କରେ କାର୍ଯ୍ୟ କରିବା ଲାଗି ଥିବା ବାଧ୍ୟବାଧକତା ସମାପ୍ତ ହୋଇଯିବ।

ଏହାଦ୍ୱାରା ଯୁବ ଡାକ୍ତରଙ୍କୁ ସେମାନଙ୍କ ମନ ପସନ୍ଦର କ୍ଷେତ୍ରରେ କାର୍ଯ୍ୟ କରିବାର ଅବସର ମିଳିପାରିବ। ଡାକ୍ତରଙ୍କ ବଣ୍ଡ ପଲିସି ଅନୁସାରେ ଗ୍ରାଜୁଏସନ ବା ପିଜି ଉତୀର୍ଣ୍ଣ ହେବା ପରେ ସମ୍ବଦ୍ଧିତ ରାଜ୍ୟର ହସ୍ପିଟାଲ ବା ମେଡିକାଲ କଲେଜ ମାନଙ୍କରେ ଏକ ଅବଧି ପର୍ଯ୍ୟନ୍ତ ସେମାନଙ୍କୁ ସେବା ଦେବାକୁ ପଡିଥାଏ। ଯଦି ଡାକ୍ତର ଏଥି ପାଇଁ ରାଜି ନ ହୁଅନ୍ତି ତେବେ ସେମାନଙ୍କୁ କଠୋର ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। କେତେକ ରାଜ୍ୟ ବଣ୍ଡ ପଲିସିରେ ଉତୀର୍ଣ୍ଣ ଡାକ୍ତରଙ୍କୁ ଗ୍ରାମୀଣ ସାମୂଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଥବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଦେବାକୁ କହୁଥିଲେ।

ସରକାରୀ ମେଡିକାଲ କଲେଜ ମାନଙ୍କୁ ମିଳୁଥିବା ସରକାରୀ ଅନୁଦାନ ନିମନ୍ତେ ଡାକ୍ତରୀ ଛାତ୍ରଙ୍କୁ ଏହି ବଣ୍ଡ ପୁରଣ କରିବାକୁ ଦିଆଯାଉଥିଲା। ଏଣୁ ଡିଗ୍ରି ହାସଲ ପରେ ସେମାନଙ୍କୁ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ସେବା ଦେବାକୁ ପଡୁଥିଲା। ଏହି ସେବା ରାଜ୍ୟ ହିସାବରେ ପୃଥକ ପୃଥକ। କେଉଁ ରାଜ୍ୟରେ ୧ ବର୍ଷ ସେବା ଦେବାକୁ ପଡୁଛି ତ କେଉଁ ରାଜ୍ୟରେ ୫ ବର୍ଷ ପର୍ଯ୍ୟନ୍ତ ଡାକ୍ତରୀ ଛାତ୍ରମାନେ ସେବା ଦେଉଛନ୍ତି।

ତେବେ ଅତୀତରେ ସୁପ୍ରିମ କୋର୍ଟ ବଣ୍ଡ ପୋଲିସକୁ ଉଚିତ ବୋଲି କହିଥିଲେ। ସୁପ୍ରିମକୋର୍ଟ ଅଗଷ୍ଟ ୨୦୧୯ ରାୟରେ ବଣ୍ଡ ପଲିସିକୁ କାୟମ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେବା ମହାନିର୍ଦ୍ଦେଶାଳୟଙ୍କ ମୁଖ୍ୟ ପରାମର୍ଶଦାତା ଡା.ବି.ଡି.ଅଥାନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। କମିଟିକୁ ଡାକ୍ତରଙ୍କ ନିମନ୍ତେ ପ୍ରଚଳିତ ବଣ୍ଡ ପଲିସିକୁ ସାରା ଦେଶରେ ଏକପ୍ରକାର କରିବା ଓ ସଂଶୋଧନ ନିମନ୍ତେ ପରାମର୍ଶ ଦେବାର ଥିଲା। କମିଟି ୨୦୨୦ରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ ଓ ଟିପ୍ପଣୀ ଲାଗି ନ୍ୟାସନାଲ ମେଡିକାଲ କମିଶନ(ଏନଏମସି)ଙ୍କୁ ପଠାଇ ଦେଇଥିଲେ।

ଏ ନେଇ ଏନଏମସି ଏବେ ବିସ୍ତୃତ ରିପୋର୍ଟ ଦେଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡାକ୍ତରଙ୍କ ବଣ୍ଡ ପଲିସିକୁ କାୟମ ରଖିବା ନିର୍ଦ୍ଦେଶ ପରେ ମଧ୍ୟ ମେଡିକାଲ ଷ୍ଟୁଡେଣ୍ଟଙ୍କୁ କୌଣସି ବନ୍ଧନର ବୋଝ ରହିବା ଉଚିତ ନୁହେଁ ବୋଲି କହିଛନ୍ତି। ଏହା କରିବାର ଅର୍ଥ ସେମାନଙ୍କୁ ନୈସର୍ଗିକ ନ୍ୟାୟ ସିଦ୍ଧାନ୍ତରୁ ବଞ୍ଚିତ କରିବା ସହ ସମାନ ବୋଲି କହିଛନ୍ତି। ଏଣୁ କୌଣସି ବଣ୍ଡ ପଲିସିରେ ସେମାନଙ୍କୁ ବାଧ୍ୟ କରି ସେବା ହାସଲ ନ କରିବାକୁ କହିଛନ୍ତି। ଏଣୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବେ ଏହି ବଣ୍ଡ ପଲିସି ସମାପ୍ତ କରିବାକୁ ଲାଗିପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.