ସ୍ଵାଭାବିକ ହେଲା ଉପତ୍ୟକା: ଜାମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର ହେବେ ଅର୍ଦ୍ଧସୈନିକ ବଳର ୧୦ ହଜାର ଯବାନ, ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର
19/08/2020 at 6:51 PM

ନୂଆଦିଲ୍ଲୀ ୧୯।୦୮: ସରକାର ବୁଧବାର କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଆଦେଶ ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଆରପିଏଫ)ର ଘାଟିରେ ମୁତୟନର ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନେଇଛନ୍ତି।
ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ମୋଟ୍ ୧୦୦ ସିଆରପିଏଫ କମ୍ପାନୀକୁ ତୁରନ୍ତ ଘାଟିରୁ ଫେରାଇ ଅଣାଯିବ ଏବଂ ଦେଶର ଅନ୍ୟ ସ୍ଥାନରେ ସେମାନଙ୍କୁ ମୁତୟନ କରିବାକୁ ଆଦେଶ ଦିଆଯାଇଛି। ଏହି ସମସ୍ତ ଯବାନଙ୍କୁ ଜାମ୍ମୁ-କାଶ୍ମୀରରେ ଗତ ବର୍ଷ ଅଗଷ୍ଟ ମାସରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମୟରେ ଉପତ୍ୟକାରେ ନିୟୋଜିତ କରାଯାଇଥିଲା।
Ministry of Home Affairs has reviewed the deployment of paramilitary in #JammuAndKashmir and has decided to withdraw 100 companies of various para-military forces from the Union Territory. pic.twitter.com/HEcsaIkXQ3
— ANI (@ANI) August 19, 2020
ନିର୍ଦ୍ଦେଶ ଅନୁଯାୟୀ, ଚଳିତ ସପ୍ତାହ ସୁଦ୍ଧା ସିଆରପିଏଫର ମୋଟ୍ ୪୦ କମ୍ପାନୀ ଏବଂ ସିଆଇଏସଏଫ, ବିଏସଏଫ ଓ ସଶସ୍ତ୍ର ସୀମା ବଳର ୨୦ କମ୍ପାନୀ ଜାମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର କରାଯିବ। ଗୋଟିଏ ସିଆରପିଏଫ କମ୍ପାନୀରେ ପାଖାପାଖି ୧୦୦ ଯବାନ ଥାନ୍ତି। ଗୃହ ମନ୍ତ୍ରଣାଳୟ ମେ ମାସରେ ଜାମ୍ମୁ-କାଶ୍ମୀରୁ ପ୍ରାୟ ୧୦ ସିଆରପିଏଫ କମ୍ପାନୀକୁ ଫେରାଇ ଆଣିଥିଲା। ଏବେ ସିଆରପିଏଫ ପାଖରେ କାଶ୍ମୀର ଘାଟିରେ ପ୍ରାୟ ୬୦ ବାଟାଲିୟନ ରହିବେ। ପ୍ରତ୍ୟେକ ବାଟାଲିୟନରେ ପାଖାପାଖି ୧୦୦୦ ଯବାନ ଅଛନ୍ତି।
ଉଲ୍ଲେଖନୀୟ ଗତ ବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇ ଜାମ୍ମୁ-କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଏହି କାରଣରୁ ସରକାର କାଶ୍ମୀର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅତିରିକ୍ତ ଯବାନ ମୁତୟନ କରିଥିଲେ।